ଓଡିଶା

odisha

ETV Bharat / state

ପବିତ୍ର ରମଜାନ୍‌ ଅବସରରେ ଝଲସୁଛି ମସ୍‌ଜିଦ୍‌, ଚାଲିଛି ନମାଜ ପାଠ

ମୁସଲମାନ ଭାଇଭଉଣୀ ମାନେ ପାଳନ କରୁଛନ୍ତି ରମଜାନ । ଏଥିପାଇଁ ଚଳଚଞ୍ଚଳ ଭଦ୍ରକ ସହର । ରମଜାନ ପାଇଁ ଝଲସୁଛି ଭଦ୍ରକର ସମସ୍ତ ମସଜିଦ । ଏହି ମାସ ଇଦ ବା ଇଦୁଲ ଫିତର ପର୍ବ ପାଳନ ସହ ସମାପ୍ତ ହୋଇଥାଏ ।

By

Published : May 14, 2019, 12:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ରମଜାନ ମାସ ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ । ରମଜାନ ମାସର ଅର୍ଥ ଉପବାସର ମାସ । ଏହି ମାସରେ ୩୦ ଦିନ ଧରି ରୋଜା ରଖି ଆହ୍ଲାଙ୍କୁ ସମସ୍ତ ବିପଦ ଆପଦରୁ ରକ୍ଷା ପାଇଁ ପ୍ରାର୍ଥନା କରାଯାଏ । ଚଳିତ ମାସ ଛଅ ତାରିଖ ରାତିରେ ଚନ୍ଦ୍ର ଦର୍ଶନ ପରେ ମୁସଲମାନ ଭାଇଭଉଣୀ ମାନେ ପାଳନ କରୁଛନ୍ତି ରମଜାନ। ଚନ୍ଦ୍ର ଦର୍ଶନ ପରେ ସମସ୍ତେ ନିଜ ନିଜର ପରିବାର ବର୍ଗଙ୍କୁ ରମଜାନର ଶୁଭେଛା ଜଣାଇଛନ୍ତି । ଏଥିପାଇଁ ଚଳଚଞ୍ଚଳ ଭଦ୍ରକ ସହର । ରମଜାନ ପାଇଁ ଝଲସୁଛି ଭଦ୍ରକର ସମସ୍ତ ମସଜିଦ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମୁସଲମାନ ଭାଇଭଉଣୀ ମାନେ ରମଜାନ ପାଇଁ ରୋଜା ରଖନ୍ତି । ଏହି ରୋଜା 30 ଦିନ ଧରି ଚାଲେ । 30 ଦିନ ପର୍ଯ୍ୟନ୍ତ ସକାଳୁ ରାତି ଯାଏଁ ଉପାସ ରହି ଦିନକୁ 5 ଥର ଲେଖାଏଁ ନମାଜ ପଢନ୍ତି ସମସ୍ତେ । ଅନ୍ୟ ସମୟରେ ନମାଜ ନ ପଢୁଥିବା ଲୋକ ମଧ୍ୟ ଏହି ସମୟରେ ନମାଜ ପଢନ୍ତି । ରମଜାନ୍‌ରେ 5 ଥର ନମାଜ ପାଠକୁ ଫଜର, ଜୋହର, ଅସର, ମଗରିବ, ଇଶା ବା ତରାଭି କହନ୍ତି । ଦିନ ସାରା ଉପାସ ରହି ସଂଧ୍ୟାରେ 6.30 ପରେ ମର୍ଗବା ପଢି ଖାଦ୍ୟ ଗ୍ରହଣ କରନ୍ତି । ରମଜାନ ମାସର ବିଶେଷ ରାତିରେ ଉଜାଗର ରହି ନମାଜ ପାଠ, କୋରାନ ପାଠ ଓ ଆଲ୍ଲାଙ୍କ ନାମଜପ କରାଯାଏ । ମୁସଲମାନ ମାନେ ରମଜାନ ମାସର ଦିନବେଳେ ଖାଦ୍ୟ ପାନୀୟ ପରିହାର କରିବା ସହ ପୁରା ମାସ ସାରା ବିଳାସବ୍ୟସନଠାରୁ ଦୂରେଇ ରୁହନ୍ତି ।

ନମାଜ ପାଠ ପରେ ପରସ୍ପର ଆଲିଙ୍ଗନ ହୋଇ ରମଜାନ ଶୁଭେଚ୍ଛା ଜଣାଇଥାନ୍ତି । ଯେଉଁ ଦିନ 30 ଦିନ ରମଜାନ ମାସ ପାଳନ ହେବାର ଶେଷ ଦିନ ପରିବାର ଲୋକେ ସମସ୍ତେ ଏକତ୍ରିତ ହୁଅନ୍ତି ଓ ଭୋଜନ କରନ୍ତି । ନିଜ ନିଜର ସାଧ୍ୟ ମୁତାବକ ପରିବାର ଲୋକେ ନୂତନ ପୋଷାକ ପରିଧାନ କରନ୍ତି ଓ ସୁସ୍ବାଦୁ ଖାଦ୍ୟ ଏକାଠି ବସି ଖାଆନ୍ତି । ଏହାସହ ବର୍ଷସାରା ନିଜର ସ୍ବଅର୍ଜିତ ଧନରୁ କିଛି ଗରିବ ଲୋକଙ୍କୁ ଦାନ କରନ୍ତି । ରମଜାନ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନମାନେ ଆଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି । ସବେକଦର ଦିନଟି ରମଜାନ ମାସର ଶ୍ରେଷ୍ଠ ଦିନ । ଏହି ଦିନ ଇସଲାମ ଧର୍ମାବଲମ୍ବୀମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।

ସାଧାରଣ ଭାବେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା । ଏହି ମାସ ଇଦ ବା ଇଦୁଲ ଫିତର ପର୍ବ ପାଳନ ସହ ସମାପ୍ତ ହୋଇଥାଏ । ଏହି ଭାଇଚାରା ପର୍ବ ପାଇଁ ସାରା ରାଜ୍ୟରେ ରହିଛି ଭଦ୍ରକ ସହରର ସ୍ବତନ୍ତ୍ର ପରିଚୟ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details