ଭଦ୍ରକ:ଚଳିତ ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର। ପୌର ନିର୍ବାଚନ ଘୋଷଣା ପରଠାରୁ ସହରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ହାତରେ ଆଉ ମାତ୍ର ରହିଛି କିଛି ଘଣ୍ଟା। କମ ସମୟ ମଧ୍ୟରେ ୱାର୍ଡର ସବୁ ବର୍ଗର ଭୋଟରଙ୍କୁ ଭେଟିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ଆଉ ଏହି ଧାରାରୁ ବାଦ ପଡ଼ିନି ଭଦ୍ରକ ଜିଲ୍ଲା। ଏଥର ପ୍ରଥମ କରି କାଉନସିଲରଙ୍କ ପରି ପୌରଧ୍ୟକ୍ଷାଙ୍କୁ ଭୋଟର ମାନେ ସିଧାସଳଖ ନିର୍ବାଚିତ କରିବେ। ଯାହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଦେଖାଦେଇଛି ସିଧାସଳଖ ଛକାପଞ୍ଝା। ମୋଟ 30 ଗୋଟି ୱାର୍ଡକୁ ନେଇ ଗଠିତ ହୋଇଛି ଭଦ୍ରକ ପୌର ପାଳିକା। ଏହି ପୌର ପାଳିକାରେ ମୋଟ 87 ହଜାର 377 ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ 44 ହଜାର 577 ଜଣ ପୁରୁଷ ଭୋଟର ଥିଲା ବେଳେ 42 ହଜାର 277 ଜଣ ମହିଳା ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ 87 ଗୋଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଛି।
1960 ମସିହାରେ NAC ଓ ପରେ 1988 ମସିହାରେ ପୌର ପାଳିକାର ମାନ୍ୟତା ପାଇଥିଲା ଭଦ୍ରକ ସହର। ଗତ 2013 ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିଲା ଏବଂ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ସେହି ନିର୍ବାଚନରେ ବିଜେଡି 18 ଟି ୱାର୍ଡ ଦଖଲ କରିଥିଲା ବେଳେ କଂଗ୍ରେସ 11 ଗୋଟି ୱାର୍ଡ ଏବଂ ବିଜେପି ହାତକୁ ମାତ୍ର ଗୋଟିଏ ୱାର୍ଡ ଯାଇଥିଲା। ବିଜେଡି ସଂଖ୍ୟା ଗରିଷ୍ଠତା ପାଇ ଥିଲେ ମଧ୍ୟ ଘୋର ଗୋଷ୍ଠୀ କନ୍ଦଳ ଯୋଗୁଁ ଧର୍ମ ଗୁଳାରେ ଅଧକ୍ଷ ନିର୍ବାଚନ ହୋଇଥିଲା ।
ପରିଶେଷରେ ବିଜେଡି ଏହି ପୌର ପାଳିକାକୁ ଦଖଲ କରିଥିଲା। ତେବେ ଚଳିତ ନିର୍ବାଚନରେ ଏଠାରେ ଚତୁର୍ମୁଖୀ ପ୍ରତିଦ୍ବନ୍ଦୀତା ହେବାର ସମ୍ଭାବନା ଦେଖାଯାଇଛି। ତେଣୁ ତିନି ପ୍ରମୁଖ ଦଳ ତିନି ଜଣ ମହିଳା ପ୍ରାର୍ଥୀ ଏବଂ ଜଣେ ସଂଖ୍ୟାଲଘୁ ଶିକ୍ଷିତ ମହିଳା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଛିଡା ହୋଇଛନ୍ତି। ବିଜେଡିରୁ ନବାଗତ ସମିତା ମିଶ୍ର ପୌରାଧ୍ୟକ୍ଷା ପଦବୀ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ପୂର୍ବତନ ଉପାଧ୍ୟକ୍ଷା ଗୀତାରାଣୀ ପଢିଆରି ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେଡି ପାଇଁ ଭଦ୍ରକ ବିଧାୟକଙ୍କ ନେତୃତ୍ବରେ ପୂର୍ବତନ ଭଦ୍ରକ ପୌରପାଳ ମାନସ ମହାନ୍ତି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା 2019 ଭଦ୍ରକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡା. ପ୍ରଦୀପ ନାୟକ ବିଜେପି ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି।