ଓଡିଶା

odisha

By

Published : Dec 23, 2022, 3:03 PM IST

ETV Bharat / state

ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟ ସେବା, ଅବ୍ୟବସ୍ଥା ଘେରରେ ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଅବହେଳିତ ଅବସ୍ଥାରେ ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଡାକ୍ତର ନଥିବାରୁ ଚିକିତ୍ସାରୁ ବଞ୍ଚିତ ରୋଗୀ । ଅଭିଯୋଗ ପରେ ଅବ୍ୟବସ୍ଥା ବୁଲି ଦେଖିଲେ ଧାମନଗର ବିଧାୟକ ଓ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ। ଅଧିକ ପଢନ୍ତୁ

ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଅବ୍ୟବସ୍ଥା ଘେରରେ ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭଦ୍ରକ: ଅବହେଳିତ ଅବସ୍ଥାରେ ଭଦ୍ରକ ଜିଲ୍ଲା ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ନାହିଁନାହିଁରେ ଡାଲିଛି ଡାକ୍ତରଖାନା । ଏଠାରେ ନିୟମିତ ଡାକ୍ତର ନଥିବା ବେଳେ ଜଣେ ଅବସରପ୍ରାପ୍ତ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଅସ୍ଥାୟୀ ଷ୍ଟାଫ ନର୍ସ ଏବଂ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ସ୍ଵାସ୍ଥ୍ୟ ସେବା । ତାହାବି ସକାଳ 8ଟା ରୁ ମଧ୍ୟାହ୍ନ 12 ଟା ଏବଂ ଅପରାହ୍ନ 3ଟା ରୁ 5 ଟା ପର୍ଯ୍ୟନ୍ତ । ଅନ୍ୟ ପକ୍ଷରେ ଏଠାରେ ଗର୍ଭବତୀମାନେ ମଧ୍ୟ କୌଣସି ସେବା ପାଇ ପାରୁ ନାହାନ୍ତି । ଏମିତିକି ମେଡିକାଲର ପାଚେରୀ ନଥିବାରୁ ରୋଗୀଙ୍କ ସମେତ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଛି । ଡାକ୍ତରଖାନାରେ ପାଚେରୀଟିଏ ପାଇଁ ୨୦୧୮ ନଭେମ୍ବର ୩ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ଦୁର୍ଭାଗ୍ୟର କଥା ତାହା ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ।

ଅନ୍ୟ ପକ୍ଷରେ ପ୍ରସିଦ୍ଧ ଶୈବ କ୍ଷେତ୍ର ବାବା ଆଖଣ୍ଡଳମଣି ମନ୍ଦିରକୁ ଯାଇଥିବା 35 ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ଅବସ୍ଥିତ । ଆଖପାଖ 7ଟି ପଞ୍ଚାୟତର ପ୍ରାୟ 30 ହଜାରରୁ ଅଧିକ ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେଣୁ ସଡକ ଦୁର୍ଘଟଣା ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପ୍ରଦାନ କରିବା ପାଇଁ ଏଠାରେ ସମସ୍ତ ସ୍ଵାସ୍ଥ୍ୟ ସେବା ପ୍ରଦାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବାରମ୍ବାର ଦାବି ହେଉଛି । ଅନେକ ଥର ଦାବି ପରେ ଏବେ ଜିଲ୍ଲା ଧାମନଗର ବିଧାୟକ, ଜନସ୍ଵାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଧାମନଗର ବିଧାୟକ ଅସୁରାଳି ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଲି ଦେଖିଛନ୍ତି ।

ସ୍ଥାନୀୟ ଲୋକ ଓ ସରପଞ୍ଚଙ୍କ ସହ ବିଭିନ୍ନ ସମସ୍ଯା ବିଷୟରେ ଆଲୋଚନା କରିଛନ୍ତି । ଏହି ଅବ୍ୟବସ୍ଥାର ସମାଧାନ ପାଇଁ ଜନ ସ୍ଵାସ୍ଥ୍ୟ ଅଧିକାରୀ ଓ ଟେକ୍ନିକାଲ ଟିମ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେବେ ଏବଂ ପରେ ଆବଶ୍ୟକୀୟ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । କିନ୍ତୁ ସ୍ଥାନୀୟ ଲୋକେ ସ୍ଵାସ୍ଥ୍ୟକେନ୍ଦ୍ରର ସୀମା ନିର୍ଦ୍ଧାରଣ କରି ପାଚେରୀ ନିର୍ମାଣ ସହିତ ସ୍ଥାୟୀ ଡାକ୍ତର ନିଯୁକ୍ତି ଭଳି ସୁବିଧା ଉପଲବ୍ଧ ନେଇ ଦାବି କରିଛନ୍ତି ।

1962 ମସିହାରେ କେଶବ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ପାର୍ବତୀ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାର୍ବତୀ ସ୍ୱାସ୍ଥ୍ୟ ନିବାସ ନାମରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏହାପରେ ଡାକ୍ତରଖାନାକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ । ଆରମ୍ଭ ଦିନରୁ 6 ମାସ ଧରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ସହ ରୋଗୀଙ୍କ ଦୈନିକ ଔଷଧ ଖର୍ଚ୍ଚ ମଧ୍ୟ ନିଜେ ବହନ କରୁଥିଲେ ନୀଳମଣି ରାଉତରାୟ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଏହି ସ୍ବାସ୍ଥ୍ୟ କେନ୍ଦ୍ରଟିକୁ ନିଜ ଅଧୀନକୁ ନେଇଥିଲେ । ତା ପରଠୁ ଏବେ ପର୍ଯ୍ୟନ୍ତ ଘୋର୍‌ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଖାଲି ଦେଖିବାକୁ ବାକି ରହିଲା କେବେ ବଦଳୁଛି ଡାକ୍ତଖାନାର ଚିତ୍ର ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details