ଭଦ୍ରକ: ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଆଖି ବୁଜିଲେ ମହିଳା । ଯୌତୁକ ପାଇଁ ଶ୍ବଶୂର ଘର ଲୋକେ ମହିଳା ଜଣଙ୍କ ବାରମ୍ବାର ନିର୍ଯାତନା ଦେଉଥିବାରୁ ଅତିଷ୍ଠ ହୋଇ ମହିଳା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାଟି ହେଉଛି ସ୍ଥାନୀୟ ଚାନ୍ଦବାଲି ଥାନା ଅନ୍ତର୍ଗତ ବଡ ଓସ୍ତିଆ ପଞ୍ଚାୟତର ପଣସପଡା ଗ୍ରାମର । ଯେଉଁଠି ଶନିବାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଜାତା ।
ସୂଚନା ଅନୁଯାୟୀ ଗ୍ରାମର ହରିହର ମହାନ୍ତିଙ୍କ ପୁଅ ଶରତ ମହାନ୍ତି ଗତବର୍ଷ ଜୁଲାଇ ମାସରେ ତୋଟାପଡା ପଞ୍ଚୟତ ଅନ୍ତର୍ଗତ ମାଣିପୁର ଗ୍ରାମ ବୁଦ୍ଧଦେବ ନାୟକଙ୍କ ଝିଅ ସୁଜାତାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ହେଲେ ବିଭିନ୍ନ ସମୟରେ ଶ୍ବଶୂର ଘରେ ସୁଜାତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ଶନିବାର ଘରେ ସୁଜାତାଙ୍କ ଝୁଲନ୍ତା ମୃତଦେହ ଦେଖି ତାଙ୍କ ଶ୍ବଶୂର ଘର ଲୋକେ ପୋଲିସ ଓ ସୁଜାତାଙ୍କ ବାପ ଘରକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।