ଭଦ୍ରକ: ଦେଶ ସ୍ବାଧୀନ ହେଲା। ଦେଶବାସୀଙ୍କ ମୁହଁରେ ହସ ଫୁଟିଲା। ହେଲେ ଆଜି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଆଖିରେ ଲୁହ। ଦି ଓଳି ଦି ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ। ଭଙ୍ଗା ଘରେ ରହୁଛନ୍ତି ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର। ଏହା ହେଉଛି ଭଦ୍ରକ ଧାମନଗର ବ୍ଳକ ଖପରପଦା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତଃ ସଚ୍ଚିଦାନନ୍ଦ ପଣ୍ଡାଙ୍କ ପରିବାର କଥା ।
ସଚ୍ଚିଦାନନ୍ଦଙ୍କ ମୃତ୍ୟୁର ଦୀର୍ଘ 17ବର୍ଷ ପରେ ବି ବିଧବା ପତ୍ନୀ ସୁଷମା ରାଣୀ ପଣ୍ଡାଙ୍କୁ ମିଳିନି ଏଯାଏଁ ସ୍ଵାଧୀନତା ସଂଗ୍ରାମୀ ଭତ୍ତା । ପଲ୍ଲୀରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି ତାଙ୍କ ପରିବାର । ଏନେଇ ସରକାରଙ୍କ ଠାରେ ବାରମ୍ଵାର ବିନତି କରିବା ସତ୍ତ୍ଵେ ନମିଳିବା, ସରକାରଙ୍କ ଉପହାସ ବୋଲି ବିବେଚନା କରିଛନ୍ତି ସଂଗ୍ରାମୀଙ୍କ ପୁଅ । ଏଥିପାଇଁ ଲଜ୍ଜାବୋଧ କରୁଛନ୍ତି ସଂଗ୍ରାମୀଙ୍କ ପରିବାର।