ଭଦ୍ରକ: ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇଛି । ହେଲେ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଛି । ଶୁକ୍ରବାର ରାତି ସୁଦ୍ଧା ଜଳସ୍ତର ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଏପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଏଥିସହ ତିହିଡ଼ି ବ୍ଳକର କିଛି ଅଞ୍ଚଳ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଏହିସବୁ ଅଞ୍ଚଳରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟାମୋଟି 115ଟି ପଞ୍ଚାୟତ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ପାଖାପାଖି 250 ଟି ଗ୍ରାମର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅନେକ ସ୍ଥାନରେ ମାଟି ଘର ଗୁଡିକ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।