ଭଦ୍ରକ: ନକଲି ସାରକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ଘଟଣା ପଦାକୁ ଆସିବା ପରେ ଥାନାରେ ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ସାରର ଅଭାବୀ ବିକ୍ରି ଯୋଗୁଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳାବଜାରୀ । କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁଥିବାର ଅଭିଯୋଗ ହୋଇଛି ।
ଏହି ଅଞ୍ଚଳରେ ଥିବା ସମବାୟ ସମିତି ଗୁଡିକରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀମାନଙ୍କୁ ଅସୁବିଧାରେ ପକାଉଛି । ଏଥିସହ ଚାଷୀମାନେ ସାର ଦୋକାନୀମାନଙ୍କ ଠାରୁ ସାରକୁ ନେଇ ଅନ୍ୟତ୍ର ଓଜନ କରିବା ପରେ ତଫାତ ପରିଲିକ୍ଷିତ ହୋଇଛି । ଏହି ସାରକୁ ଚାଷୀମାନେ ନିଜ ଧାନ ବିଲରେ ପକାଇବା ପରେ ପାଣିରେ ଏହା ନମିଳାଇବା ସହ ଧାନଗଛ ମୂଳରେ ସେହି ଭଳି ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରିକି କିଛି ସ୍ଥାନରେ ଧାନ ଗଛ ମରି ଯାଉଛି ବୋଲି ଅଭିଯୋଗ ହେଉଛି।