ଭଦ୍ରକ:ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାକୁ ଦାଦନ ଖଟିବାକୁ ଯାଇଥିଲା ପୁଅ । ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନାହିଁ । ପୁଅ ଫେରିବା ବାଟକୁ ଚାହିଁ ବସିଛି ମାଆ । ପୁଅ ଫଟୋ ଦେଖୁଛି ଆଉ ଆଖିରୁ ଲୁହ ଗଡେଇ କୋହ ଭରା କଣ୍ଠରେ କହୁଛି ବାବୁରେ ତୁ ଫେରିଆ ମୋ କୋଳକୁ । ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର ମକର ସେନ ଦାଦନ ଖଟିବାକୁ ଯାଇଥିଲେ। ସେବେଠୁ ତାଙ୍କ ପତ୍ତା ମିଳୁନାହିଁ । ମକରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଅର କୌଣସି ଖବର ନମିଳିବାରୁ ବୋହୂକୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ମକରଙ୍କ ବୃଦ୍ଧା ମାଆ ହୁଣ୍ଡି ଦାସ ।
ସୂଚନାଅନୁଯାୟୀ ଗାଁର ନରେନ୍ଦ୍ର ଦାସଙ୍କ ପୁଅ ମକର ସେନ୍ ଦାସ ବିଗତ 15ବର୍ଷ ତଳେ ବାଂଶଡା ଥାନା ଅନ୍ତର୍ଗତ ବବି ଦାସଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପାରିବାରିକ କଳହରୁ ମକର ସେନଙ୍କ ସ୍ତ୍ରୀ ବବି ଦାସ ବାପାମାଆଙ୍କ ଠାରୁ ତାଙ୍କୁ ଦୂରେଇ ରଖିଥିଲେ। ପିଲାଙ୍କୁ ମାମୁଁ ଘରେ ଛାଡି ଉଭୟ ସ୍ବାମୀ ସ୍ତ୍ରୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଉଭୟ କାମଧନ୍ଦା କରି ଏକାଠି ରହିଥିଲେ । ପ୍ରାୟ 9 ମାସ ପର୍ଯ୍ୟନ୍ତ ମକରସେନଙ୍କ ସହିତ ବାପାମାଆଙ୍କର ଯୋଗାଯୋଗ ଥିଲା । କିଛି ଦିନ ପୂର୍ବରୁ ମକରସେନ ମାଆଙ୍କୁ ଫୋନ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ । ସ୍ତ୍ରୀ ବବି ଦାସ ଏଥିରେ ପ୍ରମୁଖ ଭାବେ ସାମିଲ ରହୁଥିବା ମାଆଙ୍କୁ ମକର ସେନ କହିଥିବା ଜଣାପଡିଛି । ଏହା ପରେ ବିଗତ ଦୁଇ ମାସ ହେଲା ମକରସେନଙ୍କ ସହ କୌଣସି ଯୋଗାଯୋଗ ନହେବାରୁ ବାପା ମାଆଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ମକରସେନଙ୍କ ମାଆ ହୁଣ୍ଡି ଦାସ ପୁଅକୁ ଖୋଜିବା ଲାଗି ଗାଁର ଦୁଇ ଜଣଙ୍କୁ ସାଥିରେ ନେଇ ଗୁଣ୍ଟୁରକୁ ଯାଇଥିଲେ । ହେଲେ ସେଠାରେ ମକରସେନଙ୍କ କୌଣସି ପତ୍ତା ମିଳିନଥିଲା।
ଏହା ବି ପଢନ୍ତୁ...ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ