ଭଦ୍ରକ:3ଶହ ବର୍ଷର ପୁରାତନ ଶକ୍ତିପୀଠ ମା' ବଙ୍କ ବାସୁଳୀ । ଏହି ଶକ୍ତିପୀଠରେ ପୀଠଦେବୀଙ୍କ ପୂଜା ସହ ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା । ଯାହାକି ଆଜକୁ 66 ବର୍ଷରେ ପହଞ୍ଚିଛି । ମାନ୍ୟତା ଅନୁସାରେ, 3ଶହ ବର୍ଷ ପୂର୍ବେ ଏହି ପୁରାତନ ଶକ୍ତିପୀଠରେ ମା’ ପ୍ରଥମେ ଏକ ଅଶ୍ବସ୍ତ ବୃକ୍ଷ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା'ଙ୍କର ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇ ଆସୁଛି ।
ଏହି ଦେବୀପୀଠରେ ବର୍ଷ ତମାମ ମା'ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ । ହେଲେ ଶାରଦୀୟ ଦୁର୍ଗା ପୂଜାରେ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଏହି ପରମ୍ପରାରେ ପୂଜାର୍ଚ୍ଚନା କରାଯାଏ । 1958 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା । ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ । ଏହା ଆଜି 66 ବର୍ଷରେ ପଦାର୍ପଣ କରିଛି । ଯାହାକି ଅନ୍ୟ ଦେବୀ ପୀଠମାନଙ୍କଠାରୁ ବେଶ ଭିନ୍ନ ।
ଚଳିତ ବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ପ୍ରଶାସନିକ ସହଯୋଗ ସହ କମିଟି ପକ୍ଷରୁ ଏଠାରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଛି ମନ୍ଦିର କମିଟି ।