ଓଡିଶା

odisha

ETV Bharat / state

ଭାଇଚାରାର ସହର ଭଦ୍ରକ, ହିନ୍ଦୁ-ମୁସଲମାନ ମିଶି ପାଳନ୍ତି ଦୁର୍ଗାପୂଜା - ମା’ ବଙ୍କ ବାସୁଳୀ ପୀଠରେ ଦୁର୍ଗାପୂଜା

1958 ମସିହାରେ ସ୍ବର୍ଗତଃ ନନ୍ଦ କିଶୋର ମହାନ୍ତି ମା’ ବଙ୍କ ବାସୁଳୀ ପୀଠରେ ଘଟ ସ୍ଥାପନା କରିବା ସହ ମୃଣ୍ମୟୀର ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁ ପରେ ବଜାର କମିଟି ଏହି ପରମ୍ପରାକୁ ରକ୍ଷା କରିବା ସହ ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଳିମିଶି ପାଳନ୍ତି ଦୁର୍ଗାପୂଜା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Oct 7, 2019, 8:26 PM IST

ଭଦ୍ରକ: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ମା’ଙ୍କ ପୂଜା ପାଇଁ ଉଠୁଛି ପଡୁଛି ମା’ ବଙ୍କ ବାସୁଳୀ ପୀଠ । ଏହି ଶକ୍ତି ପୀଠ ପ୍ରାୟ 300 ବର୍ଷ ପୁରୁଣା । ହେଲେ 1958 ମସିହାରେ ଏଠାରେ ଆରମ୍ଭ ହୋଇଥିବା ଶାରଦୀୟ ପୂଜା ଚଳିତବର୍ଷ 62 ବର୍ଷରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଅନ୍ୟ ପୀଠମାନଙ୍କ ପରି ଏଠାରେ ମଧ୍ୟ ରହିଛି ବଳି ପରମ୍ପରା । ହେଲେ ପଶୁପକ୍ଷୀଙ୍କ ନୁହେଁ ବରଂ ଦିଆଯାଏ କଖାରୁ ବଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ମାନସିକ ନେଇ ଏଠାରେ କଖାରୁ ବଳି ଦେଇଥାନ୍ତି । ବର୍ଷସାରା ଏହି ପୀଠରେ ମା’ ବଗଳାମୁଖୀ ବେଶରେ ପୂଜା ପାଆନ୍ତି । ହେଲେ ଶାରଦୀୟ ପୂଜା ସମୟରେ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପୂଜା ପାଆନ୍ତି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ।

ପ୍ରକାଶ ଯେ 1958 ମସିହାରେ ସ୍ବର୍ଗତଃ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନା କରିବା ସହ ମୃଣ୍ମୟୀ ମୂର୍ତ୍ତିର ପୂଜା ପରମ୍ପରା ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁ ପରେ ବଜାର କମିଟି ଏହି ପରମ୍ପରାକୁ ରକ୍ଷା କରିବା ସହ ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଳିମିଶି ପାଳନ୍ତି ଦୁର୍ଗାପୂଜା । ଭାଇଚାରାର ବାର୍ତ୍ତା ବହନ କରୁଥିବା ଏହି ପୂଜା ପୀଠରେ ପ୍ରତିବର୍ଷ ମା’ଙ୍କ ପୂଜା ପାଇଁ ଆସନ୍ତି ଅନେକ ଶ୍ରଦ୍ଧାଳୁ ।

ଚଳିତ ବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ପ୍ରଶାସନିକ ସହଯୋଗ ସହ କମିଟି ପକ୍ଷରୁ ଏଠାରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଭାଇଚାରାର ବାର୍ତ୍ତା ସହ ଏହି ପୁରାତନ ଶକ୍ତି ପୀଠରେ ପୀଠ ଦେବୀଙ୍କ ପୂଜା ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜାର ସ୍ବତନ୍ତ୍ରତା ସତରେ ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details