ଭଦ୍ରକ: ପୁଣି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି । ପୁରୁଣାବଜାର ଥାନା ଅଧିନ ହେଲାସାହି ନିକଟରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ଓ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଜବତ ଜର୍ଦ୍ଦାର ଆନୁମାନିକ ବଜାର ମୂଲ୍ୟ 7 ଲକ୍ଷରୁ ଅଧିକ ହେବା ନେଇ ସୂଚନା ମିଳିଛି । ଏହି ବେଆଇନ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସେକ୍ ଇଲିଆସ୍ ବୋଲି ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ଵିବେଦୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 21 ନମ୍ବର ୱାର୍ଡରେ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲ କରି ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉଥିଲା । ପ୍ରସ୍ତୁତ କରିବା ପରେ ସେହି ନକଲି ଜର୍ଦ୍ଦା ଗୁଡିକ ଅତ୍ୟନ୍ତ ଚତୁରତାର ସହ ବାହାରକୁ ଚୋରା ଚାଲାଣ କରାଯାଉଥିଲା । ଏହା କରି ନକଲି ଜର୍ଦ୍ଦା ମାଫିଆମାନେ କୋଟି କୋଟି ଟଙ୍କା ଉପାର୍ଜନ କରୁଥିଲେ । ଏନେଇ ବହୁ ସମୟରେ ପୋଲିସ ନିକଟରେ ଅଭିଯୋଗ ହେଉଥିଲା । ଶେଷରେ ପୋଲିସ ପକ୍ଷରୁ ଚଢାଉ କରାଯିବା ସମୟରେ ନକଲି ଜର୍ଦ୍ଦା ମାଫିଆ ଚତୁରତାର ସହ ଖସି ପଳାଇ ଯିବା ପାଇଁ ସକ୍ଷମ ହେଉଥିଲେ । ଏଥିସହ ସେମାନଙ୍କ ନକଲି ଜର୍ଦ୍ଦା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ତଥା ଯନ୍ତ୍ରାଂଶ ଗୁଡିକର ଟେର ପୋଲିସ ପାଇପାରୁ ନଥିଲା ବୋଲି ସୂଚନା ମିଳିଛି ।