ଭଦ୍ରକ: କୋରୋନା ମାଡରେ ଫିକା ପଡିଲା ରଜ ପର୍ବ । ଓଡିଶା ସଂସ୍କୃତିର ଏହି ରଜ ପର୍ବ 3 ଦିନ ଧରି ଯାକଜମକରେ ପାଳନ କରାଯାଇଥାଏ । ବସୁମାତା ରଜବତୀ ହୋଇଥିବାରୁ ଏହି ଦିନରେ କୌଣସି ଚାଷ କାର୍ଯ୍ୟ କରାଯାଇ ନଥାଏ । ଘରେ ରହି ପିଠ ପଣା ସହିତ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ଲୋକେ । ଗାଁ ଦାଣ୍ଡରେ ରଜଦୋଳି ସହିତ କବାଡି ଖେଳ, ତାସ ଖେଳ ଆଦି ଆସର ଜମିଥାଏ । ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ ।
ପିଲାଠୁ ବୃଦ୍ଧ ଯାଏଁ ଯୁବତୀ ଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କର ମିଠା ରଜ ପାନ ଖାଇବାକୁ ଇଚ୍ଛା ହୋଇଥାଏ । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ବାସ ମସଲାରେ ପ୍ରସ୍ତୁତ ହୋଇଥିବା ଏହି ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ଏପରିକି ପାନ ନେବାକୁ ଅନ୍ଲାଇନ୍ରେ ଅର୍ଡର ମଧ୍ୟ ବୁକିଂ କରାଯାଏ । ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ଭଦ୍ରକ ଜିଲ୍ଲାରେ ମିଳୁଥିବା ନିଆଁଲଗା ବା ଫାୟାର ପାନ ବେଶ ଚର୍ଚ୍ଚିତ ହୋଇଛି ।