ଭଦ୍ରକ:ଭେଷଜ ବିଶେଷଜ୍ଞଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ । ଏପରି ଅଭିଯୋଗ ଆଣି ଚିକିତ୍ସା କରୁଥିବା ଜଣେ ବରିଷ୍ଠ ଭେଷଜ ବିଶେଷଜ୍ଞଙ୍କୁ ନିସ୍ତୁକ ମାଡ ମାରିଲେ ରୋଗୀଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତ ନାବାଳକ ହେଉଛନ୍ତି ବନ୍ତ ବ୍ଲକ ବସନ୍ତିଆ ଅଞ୍ଚଳର ମନୋଜ ରାଉଳଙ୍କ 16 ବର୍ଷର ପୁଅ ଶୁଭେନ୍ଦୁ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶୁଭେନ୍ଦୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଇଞ୍ଜେକ୍ସନ ଦେବା ପରେ ନାବାଳକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନାବାଳକଙ୍କ ସହ ଘରୋଇ କ୍ଲିନିକର ଡାକ୍ତର ମଧ୍ୟ ଚିକିତ୍ସାଳୟକୁ ଯାଇଥିଲେ ।
ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ନାବାଳକ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହା ଜାଣିବା ପରେ ପରିବାର ଲୋକ ଉତ୍ୟକ୍ତ ହୋଇ ନାବାଳକଙ୍କୁ ଇଞ୍ଜେକ୍ସନ ଦେଇଥିବା ଡାକ୍ତରଙ୍କୁ ମେଡିକାଲରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲା । ଏହାପରେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିଲା।