ଭଦ୍ରକ: ବିବାଦ ଘେରରେ ଭଦ୍ରକ ପୌର ପାଳିକା । ପଦାରେ ପଡିଲା ଭଦ୍ରକ ବିଧାୟକ-ପୌରାଧ୍ୟକ୍ଷାଙ୍କ ବିବାଦ । ପୌର ନିର୍ବାଚନ ପରେ ପୌର ପାଳିକାରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିନି । ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ।
ରବିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ । କେମିତି ନିଜର ସମର୍ଥିତ କାଉନସିଲର ମାନଙ୍କ ଜରିଆରେ ବିଧାୟକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି, ସେନେଇ ମୁହଁ ଖୋଲିଥିଲେ ପୌରାଧ୍ୟକ୍ଷା । ଆଗକୁ ଏପରି ଜାରି ରହିଲେ ସାଧାରଣ ଜନତା ବହୁ ସମସ୍ୟାରେ ପଡିବେ । ତେଣୁ ପୌର ପାଳିକାର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ଲାଗି ସେ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ।
ସରକାରଙ୍କ ସମସ୍ତ ଭିତ୍ତିଭୂମି ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଭଦ୍ରକ ପୌରାଞ୍ଚଳବାସୀ ସୁବିଧାରୁ ବଞ୍ଚିତ ହେଉଥିବା ଏବେ ସ୍ପଷ୍ଟ ଭାବେ ବାରି ହୋଇଯାଉଛି । ଯାହାକୁ ନେଇ ଭଦ୍ରକ ରାଜନୀତି ଏବେ ସରଗରମ ରହିଛି । ଚଳିତ ପୌର ନିର୍ବାଚନ ପରେ ନବଗଠିତ ହୋଇଥିବା ପୌର ପାଳିକାରେ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିବାର କାରଣ ଏହିପରି ବିବାଦ ବୋଲି ଚର୍ଚ୍ଚା ହେଉଛି ।