ଭଦ୍ରକ: କାହାର ହେବ ଧାମନଗର ? ବିଷ୍ଣୁ ସେଠୀଙ୍କ ଗଡରେ କିଏ ମାରିବ ବାଜି ? ଧାମନଗର ଉପନିର୍ବାଚନରେ କିଏ ବିଜୟୀ ହେବ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଜି ଏହି ଚର୍ଚ୍ଚାରେ ପଡିବ ଯବନୀକା । କାରଣ ଆଉ କେଇ ଘଣ୍ଟା ପରେ ଆସିବ ଉପନିର୍ବାଚନ ଫଳାଫଳ । ଆଜି ସକାଳ ୮ଟାରୁ ଧାମନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣନା ଆରମ୍ଭ ହେବ(Dhamnagar bypolls counting) । ଭଦ୍ରକସ୍ଥିତ ସଂସ୍କୃତି ଭବନ ଠାରେ ଗଣତି କାର୍ଯ୍ୟ କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବା ପରେ ସାଢେ ୮ଟା ସମୟରେ ଇଭିଏମ ଭୋଟଗଣନା ଆରମ୍ଭ ହେବ ।
Dhamnagar bypolls: ଧାମନଗର ଉପନିର୍ବାଚନ ଭୋଟ ଗଣତି ଆଜି - ଓଡିଶା ଉପନିର୍ବାଚନ ୨୦୨୨
ଆଜି ଧାମନଗର ଉପନିର୍ବାଚନ ଭୋଟ ଗଣତି । ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ସୁଦ୍ଧା ଆସିବ ଫଳାଫଳ । ଅଧିକ ପଢନ୍ତୁ
ଧାମନଗର ଭୋଟ ଗଣତି ପାଇଁ ମୋଟ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଆଉ ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ମୋଟ ୧୮ଟି ରାଉଣ୍ଡରେ ଗଣତି କରାଯିବ । ଶେଷରେ ଭିଭିପାଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ମତ ଗଣନାକୁ ତଦାରଖ କରିବା ପାଇଁ ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହାୟକ ରହିବେ । ଏହାସହ ଜଣେ ମାଇକ୍ରୋ ଅବଜରଭର ମଧ୍ୟ ଉପସ୍ଥିତ ରହିବେ ।
ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ରହିବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.inକୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ ୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ ଗ୍ରହଣ ହୋଇଥିଲା । ଧାମନଗର ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଭୋଟ ଦେବାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି । ୭୪.୦୮ ପ୍ରତିଶତ ମହିଳା ଭୋଟ ଦେଇଥିବାବେଳେ ୬୪.୨୧ ପ୍ରତିଶତ ପୁରୁଷ ଭୋଟ ଦେଇଛନ୍ତି ।