ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ଥାନା ଦୌଲତପୁର ପଞ୍ଚାୟତ ସମେତ ପୀରହାଟରେ ପ୍ରସ୍ତାବିତ ମଦ ବାର୍ ଖୋଲିବାକୁ ବିରୋଧ କରାଯିବା ସହିତ ଚୋରା ମଦ କାରବାର ବନ୍ଦ କରିବା ନେଇ ଦାବି ଉଠିଛି । ଏହାର ବ୍ୟତିକ୍ରମ ହେଲେ ଜନଆନ୍ଦୋଳନ ସହିତ ରାଜରାସ୍ତା ଅବରୋଧ ପରି ଆଇନକୁ ହାତକୁ ନିଆଯିବ ବୋଲି ଦୌଲତପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।
ସୂଚନା ମୁତାବକ, ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ନିକଟସ୍ଥ ଏକ କେନାଲ ପାର୍ଶ୍ବରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଦୀର୍ଘଦିନ ଧରି ଏହି ପଞ୍ଚାୟତ ଲୋକଙ୍କ ପକ୍ଷରୁ ଉକ୍ତ ମଦ ବାରକୁ ବିରୋଧ କରାଯାଉଛି । ଅବକାରୀ ବିଭାଗର ପ୍ରଚଳିତ ଆଇନ୍ ଅନୁସାରେ ସମସ୍ତ ଗ୍ରାମାଞ୍ଚଳରେ ମଦ ଦୋକାନ ଗୁଡ଼ିକ ରାଜପଥ, ସ୍କୁଲ, କଲେଜ, ମନ୍ଦିର, ଗାଧୁଆ ତୁଠ ଇତ୍ୟାଦି ଠାରୁ ୫ଶହ ମିଟର ଦୂରରେ ସ୍ଥାପିତ ହେବା ବିଧେୟ ଥିବା ବେଳେ ଉକ୍ତ ମଦ ବାରଟି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଠାରୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ ।