ଭଦ୍ରକ: ଗମନାଗମନର ସୁବିଧା ନିମନ୍ତେ ରାସ୍ତା ହେଉ କି ପୋଲ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଯାହାର ବାସ୍ତବ ଚିତ୍ର ଭଦ୍ରକ ସହରରେ ଦେଖିବାକୁ ମିଳିଛି । ଭଦ୍ରକ ସହରରୁ କୁଆଁସ ଅଞ୍ଚଳକୁ ଯିବା ପାଇଁ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ନୂତନ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଭିତ୍ତିପ୍ରସ୍ତର ସ୍ଥାପନ ପାଖାପାଖି ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ପୋଲ କାମଟି ସମ୍ପୂର୍ଣ୍ଣ ହୋଇପାରିନାହିଁ ।
ଭଦ୍ରକ ସହରରେ ବହି ଯାଇଛି ସାଳନ୍ଦୀ ନଦୀ । ଗୋଟିଏ ପଟେ ଟାଉନ ଥାନା ଓ ବଙ୍କସାହି । ଅନ୍ୟପଟେ କୁଆଁସ ଓ ପୁରୁଣା ବଜାରକୁ ରାସ୍ତା । ପୂର୍ବରୁ ଥିବା ପୋଲ ଉପରେ ଲୋକ ମାନେ ଯା'ଆସ କରୁଥିଲେ । ପୋଲଟିର କୌଣସି ବୈଷୟିକ ତୃଟି ଥିବା କାରଣରୁ ପୋଲଟି ଭଙ୍ଗାଯାଇଥିଲା । ପରେ ଯାହାକି ପ୍ରାୟ 6 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ 25 ମାର୍ଚ୍ଚ 2021ରେ ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ପୋଲ ପାଇଁ ଶିଳାନ୍ୟାସ କରାଯାଇଥିଲା । ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପୋଲଟିର କାର୍ଯ୍ୟ ଆରମ୍ଭ ହେଲା । ନୂତନ ପୋଲଟି ନିର୍ମାଣ ହେଉଥିବାରୁ ଲୋକମାନେ ମଧ୍ଯ ଖୁସି ହୋଇଥିଲେ । କିନ୍ତୁ ସେହିଦିନ ଠାରୁ କାମ ଆରମ୍ଭ ହେଲା ଯେ 2022 ସରିବାକୁ ବସିଲା, କିନ୍ତୁ ସବୁ ପିଲର ଠିଆ ହୋଇ ପାରିଲା ନାହିଁ । ଏବେ ଠିକାଦାରଙ୍କ ଦେଖା ନାହିଁ କିନ୍ତୁ କିଛି ଶ୍ରମିକଙ୍କୁ ନେଇ ମନ୍ଥର ଗତିରେ ପୋଲ ନିର୍ମାଣ ଚାଲୁଛି ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।