ଭଦ୍ରକ: ଜିଲ୍ଲାରେ ସରକାରୀ ଧାନ ସଂଗ୍ରହରେ ଏକ ବଡ଼ ଧରଣର ଜାଲିଆତି ହୋଇଛି । ଏହି ପ୍ରସଙ୍ଗ ଏବେ ଯୋଗାଣ ନିଗମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହି ଜାଲିଆତିରେ ସାମିଲ ସୋସାଇଟି ଏବଂ ଡବ୍ଲୁଏସଏଚଜିଙ୍କ ବିରୁଦ୍ଧରେ ତଦନ୍ତ ମୂଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଚିଠି ଲେଖିଛନ୍ତି ସରକାର ।
ଧାନ ସଂଗ୍ରହରେ ବ୍ୟାପକ ଜାଲିଆତି, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର ଜିଲ୍ଲାର 10 ସେବା ସମବାୟ ସମିତି ଓ 5 ସ୍ବୟଂ ସହାୟକ ଗୋଷ୍ଠୀ ଧାନକିଣାରେ ହେରଫେର୍ କରିଥିବା ସରକାରୀ ଚିଠିରେ ଉଲ୍ଲେଖ କରାଯାଇଛି । ଜିଲ୍ଲାର ବସନ୍ତିଆରୁ 5597.75 କୁଇଣ୍ଟାଲ, ଚାଇଁପୁରରୁ 1798.74, ଧାମନଗରରୁ 82.50, ବ୍ରାହ୍ମଣୀ ଗାଁରୁ 2309.17, ବିଦେଇପୁରରୁ 1334.49, ନାୟକାଣିଡ଼ିହିରୁ 1183.04, ଗୁଜିଦରଡାରୁ 3785.20, ସାହାଡ଼ାରୁ 1275.67, ବାମନବିନ୍ଧାରୁ 312.37 ଓ କଲେଇରୁ 2062.73 କୁଇଣ୍ଟାଲ ଧାନ ହେରଫେର ହୋଇଥିବା ସୂଚନା ରହିଛି ।
ସେହିଭଳି ମା' ବୁଢ଼ୀ ଜାଗୁଳାଇ ସ୍ବୟଂ ସହାୟକ ଗୋଷ୍ଠୀ 1717.31, ମା' ବୁଢ଼ୀ ଜାଗୁଳାଇ 389.34, ମା' ତାରିଣୀ 7238.65, ରାଧାକାନ୍ତ ଜୀଉ 4566.94 ଓ ମା ବରୁଣେଶ୍ବରୀ 5110.80 କୁଇଣ୍ଟାଲ ଧାନ କିଣାରେ ଚଞ୍ଚକତା ହୋଇଥିବା ହୋଇଛି । ଅନ୍ୟପଟେ ଅତିରିକ୍ତ ଯୋଗାଣ ସହାୟକ ଶରତ ବେହେରାଙ୍କ ନାମରେ ଭିଜିଲାନ୍ସ କେସ ଥିବା ବେଳେ ତାଙ୍କୁ ଧାନ କିଣିବାର ମୁଖ୍ୟ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ତାଙ୍କ ଚାକିରି ସଂକ୍ରାନ୍ତୀୟ ସମସ୍ତ ରିପୋର୍ଟ ଦେବାକୁ ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ମଧ୍ୟ କରିଛି ।
ଧାନରେ ଯେଉଁଠି ଦୁର୍ନୀତି ଅଭିଯୋଗ ଆସିଛି ତାହାର ଖୋଳତାଡ଼ ଆରମ୍ଭ କରିଛନ୍ତି ଯୋଗାଣ ନିଗମ । ତେବେ ଧାନ କିଣାରେ ଏହି ଅନିୟମିତତା ଯାଞ୍ଚ କରି ରିପୋର୍ଟ କରିବାକୁ ଜିଲ୍ଲା ସହକାରୀ ନିବନ୍ଧକ ଏବଂ ସମାଜ କଲ୍ୟାଣ ଅଧିକାରୀଙ୍କୁ ଏନେଇ ରିପୋର୍ଟ ତଲବ କରାଯାଇଥିବା କହିଛନ୍ତି ଜିଲ୍ଳାପାଳ । ଅନ୍ୟ ପକ୍ଷରେ ଏନେଇ ସେବା ସମବାୟ ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ଓ ଯୋଗାଣ ନିଗମର କୌଣସି ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ