ଭଦ୍ରକ: କୋଭିଡ ଗାଇଡଲାଇନ ପରିଚାଳନାରେ ସରକାର ଖାମଖିଆଲି ନୀତି ଅବଲମ୍ବନ କରୁଛନ୍ତି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଭଦ୍ରକ ବ୍ଲକ ଓ ପୌରପାଳିକା ଅଧିବାସୀ । ପ୍ରଶାସନ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରଶାସନକୁ ଟାର୍ଗେଟ କରିଛି ଦଳ ।
ଜିଲ୍ଲା କଂଗ୍ରେସର ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା- 9083/ଏମ୍ରଜେନ୍ସି, ଅନୁଯାୟୀ 27 ନମ୍ବର ୱାର୍ଡ ସ୍ଥିତ ଡି.ଏନ. ବାଳିକା ଉଚ୍ଚ ବିଦ୍ୟାଳୟକୁ କଣ୍ଟେନମେଣ୍ଟଜୋନ ଏବଂ 27 ନମ୍ବର ୱାର୍ଡକୁ ବଫରଜୋନ ଘୋଷଣା କରାଯାଇଛି । ମାତ୍ର ବାସ୍ତବରେ ଏହି ବିଦ୍ୟାଳୟଟି 27 ନମ୍ବର ୱାର୍ଡରେ ହୋଇ ନଥିବା ବେଳେ ଏହା 26 ନମ୍ବର ୱାର୍ଡରେ । ଯାହା ଫଳରେ 27 ନମ୍ବର ୱାର୍ଡବାସୀ ପ୍ରଶାସନିକ କଟକଣାର ଯନ୍ତ୍ରଣା ଭୋଗୁଥିବା ବେଳେ ପଜିଟିଭ ବାହାରିଥିବା ଅଞ୍ଚଳ ଖୋଲାମେଲା ରହିଛି ।
ସେହିପରି ନାରାୟଣଚନ୍ଦ୍ର ହାଇସ୍କୁଲ 21 ନମ୍ବର ୱାର୍ଡରେ ହୋଇଥିବା ବେଳେ ସରକାରୀ ରିପୋର୍ଟରେ ତାହାକୁ 27 ନମ୍ବର ୱାର୍ଡ ବୋଲି ଦର୍ଶାଯାଇଛି । ଫଳରେ 21 ନମ୍ବର ୱାର୍ଡ ଖୋଲାମେଲା ରହିଛି । ଏହା ବ୍ୟତୀତ ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ମାତ୍ର 9 ଦିନ ରଖି ତାଙ୍କୁ ଘରକୁ ଛାଡି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଯେଉଁମାନଙ୍କୁ ଛାଡି ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ପଜିଟିଭ ଚିହ୍ନଟ ହେଉଛନ୍ତି । ସଂପୃକ୍ତ ପ୍ରବାସୀ ସଂଗରୋଧ କେନ୍ଦ୍ରରୁ ବାହରିଗଲା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉନାହିଁ ।