ଭଦ୍ରକ: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା । ଏହି ସମୟରେ ଦଳ ମଧ୍ୟରେ ଥିବା ବିବାଦ ପଦାରେ ପଡିଥିଲା । ଅଚାନକ ସ୍ଥିତି ଅଣାୟତ୍ତ ହୋଇଗଲା । ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପରସ୍ପରକୁ ଠେଲାପେଲା କରିବା ସହ ଧସ୍ତାଧସ୍ତି ହୋଇଥିଲେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ବେଳେ ଗୋଷ୍ଠୀ କନ୍ଦଳ ହୋଇଥିଲା । ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।
ରାଜ୍ୟ ଯୁବ ସଭାପତି ଏବଂ ଭଦ୍ରକ ନିର୍ବାଚନ ମଣ୍ଡଳୀ ଯୁବ ସଭାପତିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀର ସାମ୍ବାଦିକ ସମ୍ମିଳନୀକୁ ଅନ୍ୟ ଗୋଷ୍ଠୀ ଭଣ୍ଡୁର କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଘଟଣା ଅନୁଯାୟୀ ଭଦ୍ରକ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଇଲିଆସ ଅଲ୍ଲୀ ଖାଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ସାମ୍ବାଦିକ ସମ୍ମିଳନୀ ଚାଲିଥିବା ଅବସ୍ଥାରେ ଭଦ୍ରକ ଜିଲ୍ଲା ଯୁବ ସଭାପତି ହେମନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ସ୍ଥଳରେ ପହଞ୍ଚି ସମ୍ମିଳନୀକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲା ପେଲା ସହ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା । ଭଦ୍ରକ କଂଗ୍ରେସର ଅନ୍ତଦ୍ୱନ୍ଦ୍ୱ କଳହ ବାବଦରେ ପଚାରିବାରୁ ଦଳର କୌଣସି କଳହ ନାହିଁ ବୋଲି କହିବା ସହ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ସେଠାରେ ଥିବା ନେତା ଓ କର୍ମୀ ।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ତରଫରୁ ବିଭିନ୍ନ କଲେଜରେ ହୋଇଥିବା ଜାଲ ସାର୍ଟିଫିକେଟ ଦୁର୍ନୀତିରେ ସଂପୃକ୍ତ ଥିବା ବିଜୁ ଯୁବ ଜନତା ଦଳର ନେତାମାନଙ୍କ ବିରୋଧରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଯାହାକି ସାର୍ଟିଫିକେଟ ଦୁର୍ନୀତିରେ ସମ୍ପୃକ୍ତ ହୋଇ ବିଜୁ ଯୁବ ଜନତା ଦଳର ଭଦ୍ରକ ବିଧାନସଭାର ସଭାପତି ତଥା ଗେଲଟୁଆ ଗ୍ରାମ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ଲକ୍ଷ ଲକ୍ଷ ଟଙ୍କା ସାର୍ଟିଫିକେଟ ଦୁର୍ନୀତିରେ ଆତ୍ମସାତ କରିଛନ୍ତି ବୋଲି ଓଡିଶା ପୋଲିସର ଇକୋନୋମିକ ଅଫେନସ୍ ଉଇଙ୍ଗର କାର୍ଯ୍ୟାଳୟରୁ ଯୁବ କଂଗ୍ରେସ କର୍ମୀମାନେ ଜାଣିବାକୁ ପାଇଥିଲେ ।