ଭଦ୍ରକ:ଜିଲ୍ଲା ପୋଲିସ ଓ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ସ୍କାନରରେ ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ବ୍ରାଉନ ସୁଗାର କାରବାର କରୁଥିବା ନିଶା ବେପାରୀ । ଏନେଇ ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ଧରପଗଡ ଜୋରଦାର ହେଉଛି ।
ଗତକାଲି (ସୋମବାର) ମଣିସାହୁ ଛକ ନିକଟରେ ଥିବା ହନୁମାନ ମନ୍ଦିର ସମ୍ମୁଖରେ ଚଢାଉ କରାଯିବା ପରେ ଆଜି (ମଙ୍ଗଳବାର) କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ଭଦ୍ରକ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ, ବାଇପାସ ସ୍ଥିତ ବିଶାଲ ମେଗାମାର୍ଟ ସମ୍ମୁଖରେ ଚଢାଉ କରିଥିଲା । ଏହି ସମୟରେ 31 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ତିନି ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଏହି ଧଳା ଜହର କାରବାର କରୁଥିବା ଅଭିଯୁକ୍ତଙ୍କୁ ପିଛା କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏହି ବ୍ରାଉନ ସୁଗାର କେଉଁ ସ୍ଥାନରୁ ଆସିଥିଲା, ସେ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ । ତେବେ ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରଯାଇଥିବା ଜଣାପଡିଛି ।