ଭଦ୍ରକ: ଇସ୍ତଫା ଦେଲେ ବିଜେପି ଦଳର ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଟ। । ସେ ଜିଲ୍ଲା ବିଜେପିରେ ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏଥିସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି। ଏନେଇ ଗତକାଲି(ସୋମବାର) ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ତାଙ୍କୁ ଗତ କିଛି ମାସ ପୂର୍ବରୁ କିଛି ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆକ୍ରମଣ କରିଥିଲେ। କିନ୍ତୁ ଦଳର ସବୁ ନେତା ଏସବୁ ଜାଣି ନିରବ ରହିଲେ। ଅଥଚ ଯେଉଁ ମାନେ ତାଙ୍କୁ ଆକ୍ରମଣ କରିଥିଲେ ସେମାନେ ବାରିପଦାରେ ଆକ୍ରମଣର ଶିକାର ହେବା ପରେ ତାଙ୍କ ପାଇଁ ଦଳ ଆନ୍ଦୋଳନ କରୁଛି। ବନ୍ଦ ଡାକରା ଦେଉଛି। ତେଣୁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କ ଅଭିମୁଖ୍ୟରେ ଅତିଷ୍ଠ ହୋଇ ପଡିଛନ୍ତି। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଦଳରେ ସୁରକ୍ଷିତ ମନେ ନକରି ବିଜେପି ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏ ସମ୍ପର୍କରେ ସେ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଥିବା ସୂଚନା ଦେଇଛନ୍ତି।