ଭୁବନେଶ୍ବର:ବାଜି ସାରିଛି ଧାମନଗର ଉପନିର୍ବାଚନ ବିଗୁଲ । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେପଟେ ଉପନିର୍ବାଚନ ପାଇଁ ସରଗରମ ରହିଛି ଧାମନଗର ନିର୍ବାଚନ ମଣ୍ଡଳୀ । ଉପନିର୍ବାଚନ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର କହିଛନ୍ତି ଯେ, ଧାମନଗରରେ ବିଜେପି ପୁଣି ବାଜିମାତ କରିବ ।
ଧାମନଗର ଉପନିର୍ବାଚନକୁ ନେଇ ଭୃଗୁ ବକ୍ସି ପାତ୍ର କହିଛନ୍ତି,"ଗତ ଦୁଇ ବର୍ଷ ଧରି ସୂର୍ଯ୍ୟବଂଶୀ ସୁରଜଙ୍କ ଯୁବ ନେତୃତ୍ବରେ ବିଜେପି ଧାମନଗର ନିର୍ବାଚନ ମଣ୍ଡଳୀରେ ପରାକାଷ୍ଠା ହୋଇଛି । ଏହା ସହିତ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକ୍ରମ ତାଙ୍କ ନେତୃତ୍ବରେ ହେଉଛି । ବିଷ୍ଣୁ ସେଠୀ ବିଧାୟକ ଥିବା ବେଳେ ମଧ୍ୟ ସମସ୍ତ ରାଜନୈତିକ ଦାୟିତ୍ବ ନେଉଥିଲେ ସୂର୍ଯ୍ୟବଂଶୀ ସୁରଜ । ସୁରଜ ନିର୍ବାଚନ ଲଢ଼ୁଥିବାରୁ ବିଷ୍ଣୁ ସେଠୀଙ୍କୁ ଭଲ ପାଉଥିବା, ବିଜେପି ପ୍ରତି ଆସ୍ଥା ରଖିଥିବା ତଥା ବିଶେଷ କରି ଯୁବ ସମାଜ ସୁରଜର ସହଯୋଗ କରିବା ଭଳି ବାତାବରଣ ଧାମନଗର ନିର୍ବାଚନ ମଣ୍ଡଳୀର ଦେଖିବାକୁ ମିଳିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଯେଉଁ ସବୁ କାମ ଅଧାପନ୍ତରିଆ ରହିଛି ତାକୁ ପୂର୍ଣ୍ଣ କରିବାକୁ ଲୋକମାନେ ଆମ ଉପରେ ଆସ୍ଥା ରଖିଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଯେଉଁ ମାର୍ଜିନରେ ଥିଲା ତାଠାରୁ ଅଧିକ ମାର୍ଜିନରେ କିଭଳି ଦଳ ଜିତିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ଧାମନଗର ଉପନିର୍ବାଚନକୁ ବିରୋଧୀ ଦଳଗୁଡିକ ଭିତରେ ଛକାପଞ୍ଝା ଚାଲିଛି । ଏପରି ସମୟରେ ମଧ୍ୟ ବିଜେପି ପ୍ରତି ଲୋକଙ୍କର ସମର୍ଥନ ରହିଛି ।