ଭଦ୍ରକ: ଜିଲ୍ଲାରେ ବିଜେପି କର୍ମୀଙ୍କ ତୁମୁଳକାଣ୍ଡ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଲେ ବିଜେପି କର୍ମୀ । ନାକେଦମ ପୋଲିସ । ଭଦ୍ରକ ଜିଲ୍ଲାପାଳଙ୍କ ଗାଡିକୁ ବାଡେଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଶି ଚେୟାର ଭାଙ୍ଗିଲେ ଉତ୍ୟକ୍ତ କର୍ମୀ ।
ତେବେ ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କରାଯାଇଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଏହି ଉପଲକ୍ଷେ ବିରୋଧି ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠିଙ୍କ ନେତୃତ୍ୱରେ ଗାନ୍ଧୀ ପଡିଆ ଠାରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତ । ଏଥିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ ବରିଷ୍ଠ BJP ନେତା ଯୋଗ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଜେପି କର୍ମୀ, ନାକେଦମ ପୋଲିସ ପ୍ରତିବାଦ ସଭା ଚାଲୁ ଥିବାବେଳେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ଗେଟ ସମ୍ମୁଖରେ ବିକ୍ଷୋଭ କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଏପରିକି ପୋଲିସ ପ୍ରବଳ ପ୍ରତିରୋଧ ସ୍ଵତ୍ତ୍ବେ ବିଜେପି କର୍ମୀ ମାନେ ଜ଼ିଲ୍ଲାପାଳଙ୍କ ଗାଡିର ନେମ ପ୍ଲେଟ ସହ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚେୟାର ଗୁଡିକ ବାଡେଇ ଭାଙ୍ଗି ଦେଇଥିଲେ । ଏପରିକି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବ୍ୟାନରଗୁଡିକ ଚିରି ଫୋପାଡ଼ି ଦେଇଥିଲେ । ତେବେ ଗାଡିଗୁଡିକ ଭଙ୍ଗା ରୁଜା କରିବାବେଳେ ପୋଲିସ ପ୍ରତିରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହି ଥିବାବେଳେ ପୋଲିସ ମୁତୟନ ଅଛନ୍ତି । ଘଟଣାସ୍ଥଳରେ ଭଦ୍ରକ SP ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଚଞ୍ଚକତା କରିଥିବା ଅଭିଯୋଗ କରି ବିଜେପି ଏହି ପ୍ରତିବାଦ କରିଥିବା ନେତାମାନେ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ