ଭୁବନେଶ୍ବର: ଧାମନଗରରେ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ରାଜେନ୍ଦ୍ର ଦାସଙ୍କ ଲାଗି ମହଙ୍ଗା ପଡିଛି । ବିଜେଡି ତାଙ୍କ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଛନ୍ତି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ(BJD expels rebel leader Rajendra Das from party) । ବିଜେଡିରୁ ଟିକେଟ୍ ଆଶା ମଉଳିବା ପରେ ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେଣୁ ଯାହା ସମ୍ଭାବନା ଥିଲା ତାହା ହୋଇଛି । ରାଜେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି ।
ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜେନ୍ଦ୍ରଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି । ଏନେଇ ଆଜି ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନ ନେଇ ବିଜେଡି ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିଛି । ଏହାକୁ ବିରୋଧ କରି ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଧାମନଗର ନିର୍ବାଚନ ବିଗୁଲ ବାଜିବା ପରେ ବିଜେଡିରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ(Rajendra Das) ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ମହିଳା କାର୍ଡ ଖେଳିଥିଲା ବିଜେଡି । ଫଳରେ ରାଜେନ୍ଦ୍ରଙ୍କ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା । ବିଜେଡିର ଟିକେଟ୍ ଘୋଷଣା ପରେ କ୍ଷୁବ୍ଧ ହୋଇଥିଲେ ରାଜେନ୍ଦ୍ର ଦାସଙ୍କ ସମର୍ଥକ । ଦଳ ବିରୋଧରେ ବିଦ୍ରୋହ ଡାକରା ଦେଇଥିଲେ ଅସନ୍ତୁଷ୍ଟ ଆଶାୟୀ । ତାଙ୍କ ମାନଭଂଜନ ପାଇଁ ବିଜେଡିର ଉଦ୍ୟମ କରି ବିଫଳ ହୋଇଥିଲା । ସ୍ବାଧୀନ ପ୍ରାର୍ଥୀ ଭାବେ ସେ ଉପନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଥିଲେ ଏବଂ ସେହିଦିନ ନାମାଙ୍କନ ଦାଖଲ କରିଥିଲେ ।