ଭଦ୍ରକ: ଦେଶକୁ ସ୍ୱାଧୀନତାର 75 ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଏମିତି ଗାଁ ରହିଛି, ଯେଉଁଠି ଲୋକମାନଙ୍କ ଯୋଗାଯୋଗର ମାଧ୍ୟମ କେବଳ ବାଉଁଶ ପୋଲ । ଆଉ ଗାଁକୁ ଦୁଇ ଭାଗ କରୁଥିବା ମନ୍ତେଇ ନଦୀ ଗ୍ରାମବାସୀଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସାଜିଛି । ତେଣୁ ନଦୀ ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ, ବାଉଁଶ ପୋଲ ପାଲଟିଛି ଯୋଗାଯୋଗର କେବଳ ଏକମାତ୍ର ମାଧ୍ୟମ ।
ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ସାନନ୍ଦପୁର ଗାଁର । ପୋଲଟିଏ ନଥିବାରୁ, ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ । ଯାହାଫଳରେ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।
ଘରକୁ ଯିବା ପାଇଁ ଭଙ୍ଗା ଦଦରା ବାଉଁଶ ପୋଲ ହିଁ ଲୋକମାନଙ୍କ ସାହାଭରସା । ବନ୍ୟା ବାତ୍ୟାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗାଁରେ ଥିବା ଲୋକମାନେ । ଦୀର୍ଘ ଦିନ ଧରି ଏଭଳି ଭଙ୍ଗା ବାଉଁଶ ପୋଲରେ ଯିବାଆସିବା କରୁଛନ୍ତି ପ୍ରାୟ 30ରୁ ଉର୍ଦ୍ଧ୍ବ ପରିବାର ଲୋକେ । ପୂର୍ବରୁ ଏହି ବାଉଁଶ ପୋଲରୁ ଖସିପଡି ଅନେକ ଲୋକ ଆହତ ହୋଇଥିବା ନଜିର ମଧ୍ଯ ରହିଛି । ଛୋଟଛୋଟ ପିଲାମାନେ ସ୍କୁଲ ଯିବା ଆସିବା କି ରୋଗୀଟିଏ ମେଡିକାଲ ଯିବାକୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ବାର ଅଭିଯୋଗ କରିବା ସହ, ବାରମ୍ବାର ଦାବି କରିଥିଲେ ମଧ୍ଯ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଲୋକ ପ୍ରତିନିଧି ଦୃଷ୍ଟି ଦେଉନାହାଁନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।