ଓଡିଶା

odisha

ETV Bharat / state

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ନିର୍ମାଣ, ଖର୍ଚ୍ଚ ହେଲାଣି 648 କୋଟିରୁ ଅଧିକ - କଟକ ରେଳ ଷ୍ଟେସନ

ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଚି ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିରନ୍ତର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ନିର୍ମାଣ
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ନିର୍ମାଣ

By

Published : May 28, 2023, 10:58 PM IST

ଭଦ୍ରକ: ଭଦ୍ରକ ଏବଂ କଟକ ରେଳ ଷ୍ଟେସନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଏହା ପୂର୍ବତଟ ରେଳପଥ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଥିବାରୁ ନିର୍ମାଣ ପରେ ଏହା ଅଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବ । ତେବେ ତୃତୀୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ 50ପ୍ରତିଶତରୁ ଅଧିକ ସମାପ୍ତ ହୋଇଛି । ହରିଦାସପୁର ଏବଂ ବୈରୀ ମଧ୍ୟରେ 16.80 କିଲୋମିଟର ରେଳ ମାର୍ଗ ରହିଛି। ଯାହାର ନିର୍ମାଣ କାର୍ଯ୍ୟ 2023 ଜୁନ ଶେଷ ସପ୍ତାହ ସୁଦ୍ଧା ଶେଷ ହେବାର ଥିଲା । ହେଲେ ମେ 2023 ର ପ୍ରଥମ ସପ୍ତାହ ପୂର୍ବରୁ ସମାପ୍ତ ହୋଇଛି କାର୍ଯ୍ୟ ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ନିରନ୍ତର ସମୀକ୍ଷା କରାଯାଇଥିଲା । ଏହାସହ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରାଯାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର ଏହି ପ୍ରକଳ୍ପର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି । ଏହାସହ ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଟ୍ରେନ୍ ଚଳାଚଳକୁ ନେଇ ହେଉଥିବା ସମସ୍ୟା ସବୁକୁ ଏଡାଇ ପାରିବ ।

ତେବେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (92.19 କି.ମି.) ପ୍ରକଳ୍ପ 2012-13 ରେ ଅନ୍ତର୍ଭୁକ୍ତ ହୋଇଥିଲା । ଅକ୍ଟୋବର 2015ରେ ଏହାକୁ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା । 2016 ଏପ୍ରିଲରେ ଜଖପୁରା ଏବଂ ହରିଦାସପୁର ମଧ୍ୟରେ 23.53 କି.ମି. ରେଳ ମାର୍ଗ, କପିଳାସ ରୋଡ୍‌ଠାରୁ ଶାଳଗାଁ ପର୍ଯ୍ୟନ୍ତ 4.30 କି.ମି. ରେଳ ମାର୍ଗ ମେ' 2019ରେ ଏବଂ କପିଳାସ ରୋଡ୍‌ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ 4.20 କି.ମି. ରେଳ ମାର୍ଗ ଅକ୍ଟୋବର 2022ରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ଷମ ହୋଇଛି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା 83.69 କି.ମି. କାର୍ଯ୍ୟ ସମାପ୍ତ କରିବାକୁ 2023-24 ବର୍ଷକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ 1284.39 କୋଟି ଥିବାବେଳେ ଏବେ ସୁଦ୍ଧା 648.68 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details