ଭଦ୍ରକ:ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲା ସ୍ବାମୀ । ବାରମ୍ବାର ବଚସା ଶେଷରେ ନେଲା ଉଗ୍ରରୂପ । ନିଜ ସିନ୍ଦୁରକୁ ନିଜେ ପୋଛି ଦେବାକୁ ପଛାଇଲା ନାହିଁ ସ୍ତ୍ରୀ । ସ୍ବାମୀକୁ ହତ୍ୟା କରିବାକୁ ସ୍ତ୍ରୀ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଶେଷରେ ନାବାଳକ ପୁଅ ସହ ମିଶି ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ । ଏଭଳି ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ମହଲା ସାହି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ(ବନାରସ)ର ସୁରେଶ ମହଲା । ତାଙ୍କ ସ୍ତ୍ରୀ ହେଉଛନ୍ତି ସଞ୍ଜୁଲତା ମହଲା । ହତ୍ୟାକାଣ୍ଡ ପରେ ମୃତକଙ୍କ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ଉଭୟଙ୍କୁ ଉଦ୍ଧାର କରି ପୋଲିସ ଷ୍ଟେସନକୁ ଆଣିଲା ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ସୁରେଶ ଓ ସଞ୍ଜୁଲତାଙ୍କ ବିବାହକୁ 20 ବର୍ଷ ହେଲାଣି । ବିବାହ ପରେ ସୁରେଶ ବାଣିତିଆରେ ଘର ଜ୍ବାଇଁ ହୋଇ ରହୁଥିଲେ । କିଛି ଦିନ ତଳେ ସ୍ତ୍ରୀ ସଞ୍ଜୁଲତା କୌଣସି କାରଣରୁ ନାବାଳକ ପୁଅକୁ ନେଇ ଦିଲ୍ଲୀ ପଳାଇ ଯାଇଥିଲେ। ସେଠାରେ ସେ କିଛି ଦିନ ରହିବା ପରେ ଘରକୁ ଫେରିଥିଲେ । ତେଣୁ ଦିଲ୍ଲୀ ଯିବା ଘଟଣାକୁ ନେଇ ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲା ସ୍ବାମୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା।
ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !