ଭଦ୍ରକ: ଥମୁନି ବିଷ୍ଣୁଙ୍କୁ ନେଇ ବିବାଦ। ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠିଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିବାଦ। ଏନେଇ ଶୁକ୍ରବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ।
ପୁରୁଣା ବଜାରରୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲା। ପରେ ସେଠାରେ ବିଷ୍ଣୁ ସେଠିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଵିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ। ତେବେ ବିଧାୟକ ଜଣକ ମୁସଲିମ ମହିଳାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଦାବି କରିଛି କଂଗ୍ରେସ।
ସୂଚନା ଅନୁଯାୟୀ, ଯଦି ବିଷ୍ଣୁ ସେଠି କହିଥିବା କଥାକୁ ପ୍ରତ୍ୟାହାର ନକରନ୍ତି ଏବଂ ଗୃହରେ ଭୁଲ ନମାଗନ୍ତି ତାହାଲେ ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବ୍ୟାପକ କରାଯିବା ନେଇ କଂଗ୍ରେସ ଚେତାବନୀ ଦେଇଛି। ଶେଷରେ ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ତହସିଲଦାରଙ୍କୁ ପ୍ରଦାନ କରିଥିଲା କଂଗ୍ରେସ।