ଭଦ୍ରକ: ଭିତ୍ତିଭୂମିର ବିକାଶ ଅପେକ୍ଷାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତ ଅଧିନ ହେଙ୍ଗୁପତି ଗ୍ରାମ । ଅନୁନ୍ନତ ତଥା ଅଧିକ ସଂଖ୍ୟାରେ ଅନୁସୂଚିତ ଜାତି ବର୍ଗ ଲୋକେ ବସବାସ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଗ୍ରାମର ସମସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆଦର୍ଶ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି ।
2017-18 ଆର୍ଥିକ ବର୍ଷରେ ମାନ୍ୟତା ପାଇଥିବା ଏହି ଗ୍ରାମରେ ନାମକୁ ମାତ୍ର ଭିତ୍ତିଭୂମିର ବିକାଶ କରାଯାଇଥିବା ଜଣାଯାଇଛି । ଏହି ଗ୍ରାମଟି 5ଟି ୱାର୍ଡକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଗ୍ରାମଟି ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଅଧିକାଂଶ ଅଧିବାସୀଙ୍କର ଝାଟି-ମାଟି ଛପର ଘର । ରାଜ୍ୟ ସରକାରଙ୍କ ଅନୁଦାନ ତଥା ଏସିସି ଚିଠା ମୁତାବକ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ସମ୍ଭବ ହୋଇ ପାରିନାହିଁ । ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ଲାଇନ୍ ଯୋଜନା କାର୍ଯ୍ୟକାରୀ ହୋଇନ ଥିବାବେଳେ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ନାହିଁ । ଗ୍ରାମ ମଧ୍ୟରେ ସାହିକୁ ସାହି ରାସ୍ତା ସଂଯୋଗୀକରଣ ନଥିବାରୁ ଲୋକେ ଅନାୟାସରେ ଯାତାୟତ କରିବା ବଡ ମୁସ୍କିଲ ହୋଇପଡୁଛି ।