ଭଦ୍ରକ:କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାଙ୍ଗରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଆସେ । ଆଉ ଏଭଳି ଏକ ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଉଣୀ ଏବଂ ମାଆଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ନ୍ୟାୟ ପାଇବାକୁ ବଞ୍ଚିତ ଝିଅ । ପୋଲିସ ପାଖରୁ ନିରାଶ ହେବା ପରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ଝିଅ । ଭଉଣୀ ଏବଂ ମାଆଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗୁହାରି କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁସାରେ,"ପ୍ରଥମେ ମୋ ଭଉଣୀକୁ ପେଟ୍ରୋଲ ଢାଳି ପୋଡି ମାରିଥିଲେ ଆଉ ଏବେ ମୋ ମାଆକୁ ଅପହରଣ କରି ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କଲେ । ଖାଲି ସେତିକି ନୁହେଁ, ତାର ମୃତଦେହକୁ ନେଇ ଟ୍ରେନ ଲାଇନରେ ପକାଇ ଅପମୃତ୍ୟୁ ମାମଲା କରିଦେବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାକୁ ନେଇ ଆପଣ ବିଚାର କରି ନ୍ୟାୟ ଦିଅନ୍ତୁ ସାର ।" ଏଭଳି କିଛି କୋହଭରା କଣ୍ଠରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି ଭଦ୍ରକ ବାଂଶଡା ଥାନା ଅଞ୍ଚଳର ଜଣେ ମହିଳା ।
ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳାଙ୍କୁ କିଛି ଲୋକ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୂର୍ବରୁ ମଧ୍ୟ ମୃତକଙ୍କ ଝିଅକୁ ପୋଡି ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବିବାହିତା ଝିଅ । ଏଭଳି ଏକ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ନେଇ ସନ୍ଦେହ କରୁଥିବା କଥା ସେ କହିଛନ୍ତି ।