ଓଡିଶା

odisha

ETV Bharat / state

ଭଦ୍ରକରେ ଧାନ ବସ୍ତାକୁ ନେଇ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ବିବାଦ - ଅସନ୍ତୋଷ ପ୍ରକାଶ କଲେ ଚାଷୀ

ଧାନ ବିକିବାକୁ ପ୍ରଶାସନ ଦେଉନି ଧାନବସ୍ତା । ଆବଶ୍ୟକ ରହିଛି ୪୦ରୁ ଊର୍ଦ୍ଧ୍ବ ଧାନବସ୍ତା । ଅଧିକ ପଢ଼ନ୍ତୁ

giving paddy bags
ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ

By

Published : Jan 17, 2023, 10:51 AM IST

ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ

ଭଦ୍ରକ : ଧାନ ବିକିବାରେ ଉପୁଜିଛି ସମସ୍ୟା । ପ୍ରଶାସନ ଆବଶ୍ୟକତା ଅନୁସାରେ ଧାନବସ୍ତା ଦେଉ ନାହିଁ । ଫଳରେ ମଣ୍ଡିରେ ବିକ୍ରି ହେଇପାରୁନି ଧାନ। ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳିନି ବସ୍ତା । ଯାହାକୁ ନେଇ ତାତିଲେ ଚାଷୀ । ଅଖା ବସ୍ତାକୁ ନେଇ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଉପୁଜିଲା ବିବାଦ । ଧାନ କିଣାରେ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ନେଇ ସୋମବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ଆରସା ସେବା ସମବାୟ ସମିତିର ଚାଷୀ । ହେଲେ ଏନେଇ ସେବା ସମବାୟ ସମିତିର କୌଣସି ଅଧିକାରୀ କି କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ । ଖବର ଅନୁଯାୟୀ ନିର୍ଦ୍ଧାରିତ 2022 ଡିସେମ୍ବର ମାସଠାରୁ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ଟୋକନ୍ ପାଇ ଆସୁଛନ୍ତି । 645 ଜଣ ଚାଷୀ ଏବେ ପଞ୍ଜିକୃତ ହୋଇଛନ୍ତି ।

22 ହଜାର କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି କୁହାଯାଇଛି । ତଦନୁଯାୟୀ ଦୈନିକ ଶହଶହ ଟ୍ରିପ୍ ଧାନ ସମିତିରେ ପଡୁଛି । ମାତ୍ର ଏଯାବତ 3 ଟ୍ରିପ୍ ଧାନ ଅର୍ଥାତ୍ 450 କ୍ୱିଣ୍ଟାଲ ଧାନ ମିଲ ପକ୍ଷରୁ ଉଠା ହୋଇଛି । ମିଲର ପକ୍ଷରୁ ଟୋକନ୍ ମୁତବାକ ଅଖା ବସ୍ତା ପ୍ରଦାନ କରାଯାଉନଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି । ଧାନ ବସ୍ତା ଦେବାରେ ସମସ୍ୟା ଏବଂ ମିଲର ଧାନ ଉଠାଉନଥିବା ସମସ୍ୟା ପାଇଁ ଚାଷୀାମନେ ପ୍ରଶାସନକୁ ଦାୟୀ କରୁଛନ୍ତି । ନିଜ ଦାୟିତ୍ୱରେ ମଣ୍ଡିରେ ଚାଷୀମାନେ ଧାନ ମହଜୁଦ୍ ରଖୁଛନ୍ତି ।

ଖରା ବର୍ଷାର ଭୟ ଲାଗି ରହିଥିବା ବେଳେ ବୁଲା ପଶୁଙ୍କ ଦ୍ୱାରା ମଧ୍ୟ ଧାନ ନଷ୍ଟ ହେଉଛି । ଏହି ଘଟଣାକୁ ନେଇ ଆଜି(ସୋମବାର) ପୂର୍ବାହ୍ନରେ ସେବା ସମବାୟ ସମିତିରେ ଚାଷୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନର ଅବହେଳା ଏପରି ଜାରି ରହିଲେ ଚାଷୀଙ୍କ ଟୋକନ୍ ଲାପ୍ସ କରିଯିବ । ତେଣୁ ବାଧ୍ୟ ହୋଇ ଚାଷୀମାନେ ଶାଗମାଛ ଦରରେ ଦଲାଲଙ୍କ ମାଧ୍ୟମରେ ଧାନ ବିକିବେ ।

ଗୋଟିଏ ପଟେ ମିଲର ଅଖା ବସ୍ତା ଦେଉନି ଅନ୍ୟପଟେ ପ୍ଲାଷ୍ଟିକ୍ ବସ୍ତାରେ ଥିବା ଧାନ ନିଆଯିବନି ବୋଲି ନୀତି ନିୟମ ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଭରପୁର ଫାଇଦା ଉଠାଉଛନ୍ତି ବାହାର ରାଜ୍ୟକୁ ଧାନ ବିକୁଥିବା ବେପାରୀ । ସମିତି ସାମନାରୁ ପ୍ଲାଷ୍ଟିକ୍ ବସ୍ତାରେ ଦୈନିକ ଟ୍ରିପ୍‌ଟ୍ରିପ୍ ଧାନ ବାହାର ରାଜ୍ୟକୁ ଯୋଗାଣ ହେଉଥିବା ନଜରକୁ ଆସୁଛି ।

ଏପରି ଅବସ୍ଥା ଜାରି ରହିଲେ ପ୍ରକୃତ ପଞ୍ଜିକୃତ ଚାଷୀ ଧାନ ଦେବାରୁ ବଞ୍ଚିତ ହେବ ବୋଲି ସନ୍ଦେହ ପ୍ରକାଶ ପାଇଛି । ତେଣୁ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାନଗଲେ ଚାଷୀମାନେ ଆଇନ୍‌ର ଆଶ୍ରୟ ନେବେ ବୋଲି ଆଜି ଏକତ୍ରିତ ହୋଇ ଚାଷୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମିଲର ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନଥିବାର ସମିତି ପରିସରରେ ଧାନ ପଡି ରହୁଥିବା ସେବା ସମବାୟ ସମିତିର ସମ୍ପାଦକଙ୍କ ଠାରୁ ସୂଚନା ମିଳିଛି । ହେଲେ ଏନେଇ ସେବା ସମବାୟ ସମିତିର ସମ୍ପାଦକ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ୍।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details