ଭଦ୍ରକ:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ବୁଧବାର ସକାଳଠାରୁ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଂକେତ 17.83 ମିଟର ଥିବାବେଳେ ସେଠାରେ ଗୁରୁୁବାର ସକାଳ ସୁଦ୍ଧା ସର୍ବାଧିକ 19.88 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ମଧ୍ୟାହ୍ନ ସୁଦ୍ଧା ଏହା କ୍ରମଶଃ ହ୍ରାସ ପାଇଛି। ଏହା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ବ୍ଳକ ପ୍ରଭାବିତ ହୋଇଛି।
ବିପଦ ସଙ୍କେତ ଟପିବା ପରେ ବୈତରଣୀର ବନ୍ୟା ଜଳ ଭଣ୍ଡାରିପୋଖରୀ କଣ୍ଟି ଏସକେପ୍ ଧାମନଗର ମଲ୍ଲୀ ମାହାରା ଏସକେପ୍ ଏବଂ ଗୌରାଙ୍ଗପୁର ଏସକେପ୍ ଦେଇ ନିଷ୍କାସିତ ହେବା ଯୋଗୁ ଧାମନଗରର ସୋହଡା, କରଦା, ପଧାନୀ, ଆନନ୍ଦପୁର, ଖଡ଼ିପଦା, ଦଲାଙ୍ଗ ଆଦି 10 ଟି ପଞ୍ଚାୟତର 20 ରୁ ଉର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଗୃହ ପାଳିତ ପଶୁମାନଙ୍କୁ ନଦୀ ବନ୍ଧରେ ରଖାଯାଇଥିବାବେଳେ ଗୋଖାଦ୍ୟର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ତେବେ ଗୌରାଙ୍ଗପୁର ଏସକେପ୍ ନିକଟରେ ଥିବା ସୋହଡା ପଞ୍ଚାୟତର 4ଟି ରାଜସ୍ୱ ଗ୍ରାମର 5 ହଜାରରୁ ଅଧିକ ଲୋକ ବନ୍ୟା ଘେରରେ ଅଛନ୍ତି।
ଏଥିସହ ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଅନଳଡିହ ଓ ଅସ୍ତକ ଗାଁ ସମ୍ପୂର୍ଣ୍ଣ ବନ୍ୟା ଜଳ ଘେରରେ ରହିଥିବାବେଳେ ଲୋକଙ୍କ ଘରେ ବନ୍ୟା ଜଳ ଲହଡି ଭାଙ୍ଗୁଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ନପଙ୍ଗ, ମଣିନାଥପୁର, ଷୋଳମପୁର, ବିରୁଡି, ମାଳଦା, କୁରିଗାଁ, ବାଲିପୋଖରୀ ଆଦି 8ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବିଶେଷକରି ବୈତରଣୀ ନଦୀର ବନ୍ୟା ଜଳ ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।
ଅନ୍ୟପଟେ କଣ୍ଟିଘାଇ, ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସକେପ୍ ଦେଇ ବନ୍ୟା ଜଳ ଚାଷ ଜମି ଓ ଜନ ବସତିକୁ ପ୍ରବେଶ କରିଛି। ଫଳରେ ଅନେକ ଗାଁ ଜଳ ବନ୍ଦୀ ହୋଇଥିବାବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିଭଳି ଦୋବ ରୁ ଷେଣ୍ଢପୁର ରାସ୍ତା, ଧୁଷୁରୀରୁ ଆଖଣ୍ଡଳମଣି ରାସ୍ତାର ସୂର୍ଯିପୁରଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପଧାନି ରାସ୍ତା ଉପରେ ମଧ୍ୟ 3 ଫୁଟର ବନ୍ୟା ଜଳ ନିଷ୍କାସିତ ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇଛି। ଅନ୍ୟପଟେ ଭଣ୍ଡାରିପୋଖରୀରୁ ମାଳଦା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।