ଭଦ୍ରକ: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡରେ ବେଡି ପକାଇବା ଘଟଣାକୁ ଭଦ୍ରକ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିରୋଧ। ପ୍ରତିବାଦରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଦାବପତ୍ର ପ୍ରଦାନ କରିଛନ୍ତି ।
କଳା ବ୍ୟାଚ ପିନ୍ଧି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭଦ୍ରକ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ଖବର ଅନୁଯାୟୀ ବାଲେଶ୍ବର ଜିଲ୍ଲା ନୀଳଗିରିର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି, ନୀଳଗିରି ଆଇଆଇସି ଥାନାରେ ଅକଥନୀୟ ଅତ୍ୟାଚାର ଦେଇଛନ୍ତି । ପରେ ଅତ୍ୟାଚାର ସହ୍ୟ କରି ନପାରି ସାମ୍ବାଦିକ ଜଣଙ୍କ ଗୁରୁତର ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଚିକିତ୍ସା ସମୟରେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇ ଥିଲା ପୋଲିସ। ଯାହାର ଭିଜୁଆଲ ଭାଇରାଲ ହୋଇଥିଲା।
ଯାହାକୁ ନେଇ ସାମ୍ବାଦିକ ମହଲରେ ତଥା ସାଧାରଣରେ ନିନ୍ଦା କରାଯାଇଛି। ଏହି କ୍ରମରେ ନୀଳଗିରି ଆଇଆଇସିଙ୍କ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପିନ୍ଧି, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏଥିସହ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ଏତାଦୃଶ୍ୟ କାର୍ଯ୍ୟ କୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ନିଲମ୍ବିତ ସହ ଗିରଫ କରିବାକୁ ଦାବି କରିଥିଲେ ବରିଷ୍ଠ ସାମ୍ବାଦିକ ମାନେ। ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ