ଭଦ୍ରକ: ଜିଲ୍ଲାରେ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଅଦ୍ୟାବଧି କୌଣସି ସୂଚନା ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଛି । ପୂର୍ବ ବାତ୍ୟା ଅଭିଜ୍ଞତାକୁ ଆଧାର କରି, ଜିଲ୍ଲାର 7ଟି ବ୍ଲକକୁ ଆଲର୍ଟ ରହିବାକୁ କହିଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର 72ଟି ପଞ୍ଚାୟତରେ ବିଶେଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ଯ ବାତ୍ଯାକୁ ନେଇ ଭଦ୍ରକରେ ପ୍ରସ୍ତୁତି ଆରମ୍ଭ, ଆଲର୍ଟରେ 7 ବ୍ଲକ
ପୂର୍ବ ବାତ୍ୟା ଅଭିଜ୍ଞତାକୁ ଆଧାର କରି ଜିଲ୍ଲାର 7ଟି ବ୍ଲକକୁ ଆଲର୍ଟ ରହିବାକୁ କହିଛନ୍ତି ଭଦ୍ରକ ଜିଲ୍ଲାପାଳ । ମୁଖ୍ୟତଃ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର 72ଟି ପଞ୍ଚାୟତରେ ବିଶେଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏଥିସହ ସମୁଦ୍ର ତଟବର୍ତ୍ତୀ 3 କିଲୋମିଟର ପରିଧିରେ ଥିବା ସମସ୍ତ ଗାଁ ଲୋକଙ୍କୁ 17 ତାରିଖ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଶୌଚାଳୟ, ପାଣି, ବିଦ୍ୟୁତ ଓ ଖାଦ୍ୟର ବ୍ୟବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ 630ଟି ସ୍କୁଲ ମାନଙ୍କରେ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଚଳିତ 17 ତାରିଖ ପରେ ସମୁଦ୍ର ମଧ୍ୟକୁ କୌଣସି ବୋଟ ଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥିସହ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ