ଭଦ୍ରକ: ଗତକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ବିଭାଗର କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ଯାଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବେଲ-୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ ୯ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଆରମ୍ଭ କରିଛି। । ୩୦ଟି ଜିଲ୍ଲାର ୩୦ ହଜାରରୁ ଊର୍ଦ୍ଧ୍ବ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ, ବ୍ଲକ ଅଫିସ ଭଳି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି । ଅନ୍ୟପଟେ ସରକାରୀ କାର୍ଯ୍ୟ କ୍ଷେତ୍ରରେ ଯଦି କୌଣସି ଅଚଳାବସ୍ଥା ସୃଷ୍ଟି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ସମୂହ ଛୁଟିରେ ଥିବା 40ରୁ ଊର୍ଦ୍ଧ୍ବ ବିଭାଗର ସରକାରୀ କର୍ମଚାରୀଙ୍କ ନେତୃତ୍ଵ ।
ସୂଚନା ମୁତାବକ , ଦେଶ ସ୍ୱାଧୀନ ହେବା ପରେ ଗଣତାନ୍ତ୍ରିକ ରାଷ୍ଟ୍ରର ବିଧିବ୍ୟବସ୍ଥା ଅନୁଯାୟୀ ସରକାର ଗଠନ ହେଲା। ସରକାରଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟ ଗଠିତ ହୋଇ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଅନେକ ସରକାରୀ କର୍ମଚାରୀ ନିଯୁକ୍ତି ହେଲେ । ତେଣୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ବେତନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ପରବର୍ତ୍ତୀ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯାହାକି କିଛି ବିଭାଗରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା ସହ ସରକାରୀ କର୍ମଚାରୀ ମାନଙ୍କ ବେତନ ମଧ୍ୟ ବୃଦ୍ଧି କରାଯାଇଥିଲା ।
ହେଲେ କିଛି ବିଭାଗରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯାଇଥିଲେ ମଧ୍ୟ ସରକାରୀ କର୍ମଚାରୀ ମାନଙ୍କ ବେତନ ବୃଦ୍ଧି କରାଯାଇନଥିଲା। ଯାହାକୁ ନେଇ ଅବହେଳିତ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା । ତେଣୁ ସମାନ ଶିକ୍ଷାଗତ ଯୋଗ୍ୟତା ମାନଙ୍କୁ ସମାନ ବେତନ ପ୍ରଦାନ କରିବା ପାଇଁ ଅବହେଳିତ ସରକାରୀ କର୍ମଚାରୀ ମାନେ ସରକାରଙ୍କୁ ଦାବି କରିଥିଲେ । ହେଲେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଧିରେ ଧିରେ ଅବହେଳିତ ସରକାରୀ କର୍ମଚାରୀ ମାନଙ୍କ ଅସନ୍ତୋଷ ବଢିବା ସହିତ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ।