ବରଗଡ: ସୁନ୍ଦର ଦେଖାଯାଉଛି ଛୋଟଛୋଟ ସବୁଜ ଧାନକିଆରି । ହେଲେ ଧାନକିଆରିରେ ଚାରା ବଞ୍ଚାଇବା ଏବେ ମୁସ୍କିଲ୍ ହୋଇ ପଡ଼ିଛି । ବିଲରେ ପାଣି ନଥିବାରୁ ମାଟି ଫାଟି ଆଁ କଲାଣି । ଗୋଟିଏ ପଟେ ପ୍ରବଳ ଖରା ହେଉଥିବା ବେଳେ ଅନ୍ୟ ପଟେ ଆଠ ଦିନ ହେଲା ବିନା ପାଣିରେ ଧାନ କିଆରିରେ ଚାରା ମଉଳି ଯିବାକୁ ବସିଛି । ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ । ଚାଷୀ ତାର ଫସଲ ବଞ୍ଚାଇବାକୁ ସଂଘର୍ଷ କରୁଛି । ଫସଲକୁ ପ୍ରଚୁର ପାଣି ଯୋଗାଇ ଦେଉଥିବା ମୁଖ୍ୟ କେନାଲ ଏବେ ଶୁଖିଲା ହୋଇପଡିଛି ।
ମୁଖ୍ୟ କେନାଳରେ ଫାଟ କାରଣରୁ ଚାଲିଛି ମରାମତି କାମ ଏବଂ ଦୀର୍ଘ 8 ଦିନ ହେଲା ବନ୍ଦ କରିଦିଆଯାଇଛି କେନାଳର ପାଣି । ମୁଖ୍ୟ କେନାଲ ସଂପୂର୍ଣ୍ଣ ବନ୍ଦ ଥିବା କାରଣରୁ ଚାଷୀଙ୍କ ଫସଲ ପାଣି ଅଭାବରେ ନଷ୍ଟ ହେବାରେ ଲାଗିଲାଣି । ଖରିଫ ଫସଲର ଧାନ ଅମଳ ପରେ ଏବେ ରବି ଚାଷ ପାଇଁ ବରଗଡ ଜିଲ୍ଲାର ଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ ପାଇଁ ଅଣ୍ଟାଭିଡି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଆଠ ଦିନ ହେଲା କେନାଲରେ ପାଣି ବନ୍ଦ କରଣରୁ ଚିନ୍ତାରେ ଚାଷୀକୂଳ । ହୀରାକୁଦ ଜଳଭଣ୍ଡାରରୁ ଚାଷୀଙ୍କ ଚାଷ କାମ ପାଇଁ ମୁଖ୍ୟ କେନାଲ ଦେଇ ଆସିଥାଏ ପାଣି ।