ଭଦ୍ରକ:ଦାନା ବାନ୍ଧୁଛି ସେବା ସମବାୟ ସମିତି କର୍ମଚାରୀ ସଂଘର ଅସନ୍ତୋଷ । ବିବାଦ ଘେରରେ ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି । ସଭାପତିଙ୍କ ବେଆଇନ କାର୍ଯ୍ୟ ଏବେ ପଦାରେ ପଡ଼ିଛି । ପ୍ରତିବାଦ କଲେ ଅଗଣତାନ୍ତ୍ରିକ ଭାବେ ନିଳମ୍ବନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି । ଏଦିଗରେ ସେବା ସମବାୟ ସମିତିର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସମ୍ପାଦକ କାଳିନ୍ଦୀ ଚରଣ ଦାସଙ୍କୁ ସେବା ସମବାୟ ସମିତି ସଭାପତି କିଛି ବେଆଇନ ନିଯୁକ୍ତି ପ୍ରଦାନ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ଆସିଛି । ସେଥିରେ ସମ୍ପାଦକ କାଳିନ୍ଦୀ ଚରଣ ଦାସ ଅରାଜି ହୋଇଥିଲେ ବୋଲି ସୂଚନା ମିଳିଛି । ଏଥିସହ ଧାନ କ୍ରୟ ସମୟରେ ମଧ୍ୟ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ କିଛି ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ହେଲେ ସଭାପତିଙ୍କ କୌଣସି ବେଆଇନ କଥାକୁ ସମ୍ପାଦକ କାର୍ଯ୍ୟକାରୀ କରିନଥିଲେ । ଏହିପରି ବିବାଦକୁ କେନ୍ଦ୍ର କରି ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ ହଠାତ ନିଳମ୍ବନ କରିବା ପାଇଁ ଆଦେଶ ଦେଇଥିବା ଅଭିଯୋଗ ହୋଇଛି । ।