ଭଦ୍ରକ: ଭିନ୍ନକ୍ଷମ ଯୁବକଙ୍କ ଦୋକାନ ଗୁମୁଟି ରାତାରାତି ଗାଏବ। ନ୍ୟାୟ ସହିତ ପରିବାରର ସୁରକ୍ଷା ଦାବି କରିଛନ୍ତି ଭିନ୍ନକ୍ଷମ ଯୁବକ। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ, ଛୋଟ କ୍ୟାବିନଟେ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଥିନିମିତ୍ତ ଏହି ୨୨ ବର୍ଷର ଭିନ୍ନକ୍ଷମ ଯୁବକ ଗଣେଶ ବେହେରାଙ୍କୁ ଭଦ୍ରକ ଜିଲ୍ଲାପାଳ ୧୦ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି।
ତେବେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କୁ ବଟି ନଦେଲେ ସେମାନେ ଗୁମୁଟି ଭାଙ୍ଗି ଦେବାକୁ ଧମକ ଦେଇଥିଲେ। ଏଥିରେ ସେ ଅରାଜି ହେବାରୁ ରାତିରେ ଉକ୍ତ କ୍ୟାବିନକୁ ସେଠାରୁ ଉଠାଇ କେଉଁଆଡ଼େ ଗାଏବ କରି ଦେଇଛନ୍ତି । ପରେ ତାଙ୍କ ଘରେ ପହଞ୍ଚି ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।