ଭଦ୍ରକ: ଜିଲ୍ଲା କଳାକାର ସଂଘ ପକ୍ଷରୁ 6 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ଧାରଣା । କୋରୋନା ମହାମାରୀ ପାଇଁ ସମସ୍ତ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି ମେଲୋଡି ପାର୍ଟିର ମାଲିକ ଓ କଳାକାରମାନେ। ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି।
ଅନ୍ୟ ପଟେ ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି। ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଲାଗିଲାଣି। ଏବେ କେମିତି ଚଳିବେ ମେଲୋଡି ମାଲିକମାନେ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ। ତେବେ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।