ଓଡିଶା

odisha

ETV Bharat / state

ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ, ଆରମ୍ଭ ହେଲା ମାତୃଭୂମି ପାଇଁ ଗଣଦୌଡ - ମାତୃଭୂମି ପାଇଁ ଗଣଦୌଡ

ଦଳ ମତ ନିର୍ବିଶେଷରେ ଭଦ୍ରକ ଜିଲ୍ଲା ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ । ଅଧିକ ପଢନ୍ତୁ

marathon race in bhadrak
marathon race in bhadrak

By

Published : Mar 13, 2023, 9:14 PM IST

Updated : Mar 13, 2023, 9:24 PM IST

ଆରମ୍ଭ ହେଲା ମାତୃଭୂମି ପାଇଁ ଗଣଦୌଡ

ଭଦ୍ରକ:ଜିଲ୍ଲାରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ । ଏନେଇ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ତଥା ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ଏହି ଗଣଦୌଡକୁ ଶୁଭାରମ୍ଭ କରିଥିଲେ । ଏହି ଗଣଦୌଡ ମହତାବ ଛକ ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ବାଇପାସ ଛକ ନିକଟରେ ଥିବା ଜଗନ୍ନାଥ ମନ୍ଦିର ଠାରେ ସମାପ୍ତ ହୋଇଥିଲା । ତେବେ ଏହି ଗଣଦୌଡ ସମୟରେ ଭାରତମାତା କି ଜୟ, ଜୟ ଶ୍ରୀରାମ ଧ୍ବନିରେ ସମଗ୍ର ସହରରେ ଏକ ନିଆରା ବାତାବରଣ ସୃଷ୍ଟି ହୋଇଥିଲା । ଅନ୍ୟପଟେ ଜିଲ୍ଲାରେ ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ 30 ତାରିଖରେ ପାଳିତ ହେବ । ଯାହାକି ଏହି ଗଣଦୌଡରୁ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବର ଶୁଭାରମ୍ଭ ହୋଇଛି ।

ତେବେ ହିନ୍ଦୁ ଧର୍ମର ପୂଜାପର୍ବାଣୀ ମଧ୍ୟରୁ ଶ୍ରୀରାମ ନବମୀ ଏକ ମହାନ ପର୍ବ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଏକ ବିଶେଷତା ରହିଛି। ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି। ଯାହାକି ଏହି ପଵିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ହୋଇ ଉଠେ ସମଗ୍ର ଭଦ୍ରକ ସହର। ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଏ ସମଗ୍ର ଭଦ୍ରକ ସହରର ପରିବେଶ। ମାତୃଭୂମି ପାଇଁ ଏହି ଗଣଦୌଡ ପରେ ମାର୍ଚ୍ଚ ମାସ 22 ତାରିଖରେ ରାଷ୍ଟ୍ରୀୟ ନବବର୍ଷ ପାଳନ ସହ ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, 26 ତାରିଖରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା , 28 ମାର୍ଚ୍ଚରେ ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ସହିତ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ ହେବ। ମାର୍ଚ୍ଚ 29 ତାରିଖରେ 108 ହନୁମାନ ଚାଳିଶା ପାଠ କରାଯିବ ।

ଏହି ଉପଲକ୍ଷେ ମୁଖ୍ୟତଃ ମାର୍ଚ୍ଚ 24 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଐତିହାସିକ ଗାନ୍ଧି ପଡ଼ିଆ ଠାରେ ମୀନା ବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ଥିବା ଜଣାପଡ଼ିଛି। ତେବେ ଏହି ପର୍ବର ବିଶେଷ ଆକର୍ଷଣ ହେଉଛି କଳସ ଶୋଭାଯାତ୍ରା ଏବଂ ନଗର ସଂକୀର୍ତ୍ତନ ଯାତ୍ରା। ହଜାର ହଜାର ମହିଳା ଶ୍ରଦ୍ଧାଳୁ ମାନେ କଳସ ଧରି ଗାନ୍ଧୀ ପଡିଆରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି।

ସେହିପରି ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ 100 ରୁ ଅଧିକ ସୁସଜ୍ଜିତ ମେଢ ମାନଙ୍କର ନଗର ସଂକିର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାହାକି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅତ୍ୟନ୍ତ ମନୋରମା ବାତାବରଣ ସୃଷ୍ଟି କରିଥାଏ। ତେବେ ଏହି ଗଣ ମହୋତ୍ସବର ଶୁଭାରମ୍ଭ ମାତୃଭୂମି ପାଇଁ ଗଣଦୌଡ ରୁ ଆରମ୍ଭ ହୋଇଯାଇଛି। ଅନୁଷ୍ଠିତ ଏହି ଗଣଦୌଡରେ ଦଳ ମତ ନିର୍ବିଶେଷରେ ସତାଧିକା ଯୁବକ, ଯୁବତୀ, ବିଭିନ୍ନ ମହାବିଦ୍ୟାଳୟ ତଥା ସ୍କୁଲ ମାନଙ୍କର ଛାତ୍ର, ଛାତ୍ରୀ, ଅଧ୍ୟାତ୍ମିକ ସଂଗଠନ, ସାମାଜିକ ସଂଗଠନ, କ୍ରୀଡା ସଂଗଠନ, ବିଭିନ୍ନ କ୍ଲବର ସଦସ୍ୟ ତଥା ବିଭିନ୍ନ ରାଜନୈତିକ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭଦ୍ରକ

Last Updated : Mar 13, 2023, 9:24 PM IST

ABOUT THE AUTHOR

...view details