ଭଦ୍ରକ: ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାହାବଳପୁର ଗାଁରେ । ଖବର ଅନୁଯାୟୀ, ଜଣେ ଜନପ୍ରତିନିଧିଙ୍କ ଝିଅ ଓ ଝିଆରୀକୁ କିଛି ଦିନ ହେଲା ଗୁଣି ଗାରେଡି କରାଯାଇଥିବା ନେଇ ସେହି ଗାଁର ଜଣେ ଯୁବକଙ୍କୁ ସନ୍ଦେହ କରାଯାଉଥିଲା । ତେବେ ଏହାର ନିରାକରଣ ପାଇଁ ଜଣେ ତଥାକଥିତ ଗୁଣିଆ ଆସି ଦୁଇ ଝିଅଙ୍କୁ ଝଡାଫୁଙ୍କା କରୁଥିବା ଜଣାପଡ଼ଛି ।
ଧୂପ ଝୁଣା ସହିତ ମନ୍ତ୍ରତନ୍ତ୍ର ମଧ୍ୟ ଚାଲିଥିଲା । ସେହି ସମୟରେ ଗାଁର ନିରାକାର ମହାନ୍ତି ନାମକ ଯୁବକ ଉକ୍ତ ବାଟ ଦେଇ ତାଙ୍କ ଘରକୁ ଯାଉଥିବା ବେଳେ ଗୁଣିଆର ଇସାରାରେ ଜନପ୍ରତିନିଧିଙ୍କ ସମେତ ତାଙ୍କ ସମ୍ପର୍କୀୟମାନେ ନିରାକାରଙ୍କୁ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ନିରକାର ଜୀବନ ବଞ୍ଚାଇବା ଲାଗି ଘରକୁ ପଳେଇ ଯାଉଥିବା ବେଳେ ଅପରପକ୍ଷ ତାଙ୍କୁ ଘୋଷାରି ଘୋଷାରି ଆଣି ତଳେ କଚାଡି ମାଡ ମାରିଥିଲେ । ନିରାକାର ଯେତେ କାକୁତି ମିନତି ହେଉଥିଲେ ମଧ୍ୟ ସେମାନେ ହିଂସ୍ର ହୋଇ ମାଡ ମାରି ଚାଲିଥିଲେ । ତେବେ ଗାଁରେ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଦୌଡି ଆସି ତାଙ୍କୁ ଉଦ୍ଧାର କରିଥିଲେ ବୋଲି ସୂଚନା ମିଳିଛି। ଯାହାକି ନିରାକାରଙ୍କ ତଳି ପେଟ, ଛାତି, ପିଠି ଓ ଗୋଡ ହାତରେ ଭୀଷଣ ଆଘାତ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ସୁଭଦ୍ରା ମହାନ୍ତି ଥାନାରେ ଏତଲା ଦେଇଛନ୍ତି ।