ଭଦ୍ରକ : ନଦୀରେ ଗାଧୋଇବା ହେଲା କାଳ । ସାଙ୍ଗ ମାନଙ୍କ ସହ ଗାଧୋଇବା ପାଇଁ ଯାଇ ଆଉ ଫେରିନଥିଲେ ସେକ୍ । ଦୀର୍ଘ ସମୟର ଲଢ଼େଇ ପରେ ନଦୀ ଭିତରୁ ଉଦ୍ଧାର ହେଲା ସେକଙ୍କ ମୃତଦେହ । ଆଉ ପୁଅର ମୃତ୍ୟୁକୁ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ମା' ମୁଣ୍ଡ ପିଟିପିଟି କାନ୍ଦୁଥିବା ବେଳେ ବାପା ପାଲଟିଯାଇଛନ୍ତି ମୁକ ।
କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଇଛି । ପୁଅକୁ ହରାଇ ନିସ୍ତବ୍ଧ ପାଲଟିଯାଇଛି ପୁରା ପରିବାର । ସୂଚନାନୁସାରେ ଭଦ୍ରକ ସହର ନିକଟବର୍ତ୍ତୀ ସାହାପୁର ଘାଟ ନିକଟରେ ଥିବା ସାଳନ୍ଦୀ ନଦୀକୁ ୨ଜଣ ସାଙ୍ଗଙ୍କ ସହ ମିଶି ପୁରୁଣାବଜାର ଅଞ୍ଚଳର ସେକ୍ ସମୀର ଗାଧୋଇବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ହଠାତ ପାଦ ଖସି ଯାଇଥିଲା ସେକ୍ ସମୀରଙ୍କର ।
ସେକଙ୍କୁ ବଞ୍ଚାଇବାକୁ ଯାଇ ୨ଜଣ ସାଙ୍ଗ ମଧ୍ୟ ବୁଡ଼ିଯାଇଥିଲେ ନଦୀ ଭିତରେ । ହେଲେ ସୌଭାଗ୍ୟବଶତଃ ୨ଜଣ ନଦୀରୁ ସୁସ୍ଥ ଭାବେ ଉଦ୍ଧାର ହୋଇଥିବା ବେଳ ସେକ କିନ୍ତୁ ନଦୀର ଗଭୀରରେ ବୁଡ଼ି ଯାଇଥିଲେ । ଅନେକ ସମୟ ଧରି ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ନଦୀ ଭିତରୁ ସେକଙ୍କୁ ଉଦ୍ଧାର କରିପାରିନଥିଲେ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା ।