ଭଦ୍ରକ : ଅଭିନବ ଢଙ୍ଗରେ ମହିଳାଙ୍କ ପ୍ରତିବାଦ । ସ୍ବାମୀଙ୍କ ଠାରୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ପରେ ମଧ୍ୟ ମିଳିଲାନି ନ୍ୟାୟ । ଫଳରେ ନ୍ୟାୟ ଦାବିରେ ରାସ୍ତା ଉପରେ ଶୋଇଲେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କମାରିଆ ବଜାର ସ୍ଥିତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ । ତେବେ ମହିଳାଙ୍କ ପ୍ରତିବାଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ସମସ୍ତ ଯାନବାହାନ ଚଳାଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।
ସୂଚନା ଅନୁଯାୟୀ, ମହିଳା ଜଣକ କମାରିଆ ଗାଁର ନିରାକାର ସାହୁଙ୍କ ଝିଅ ସୁଜାତା । ଆଠ ବର୍ଷ ତଳେ ସୁଜାତା ସ୍ଥାନୀୟ କମାରିଆ ବଜାରସ୍ଥିତ ଡ. ସଚିନ ଗିରିଙ୍କ ପୁଅ ରଞ୍ଜିତଙ୍କୁ ବିବାହ କରିଥିଲେ। ତେବେ ବିଭିନ୍ନ ସମୟରେ ପାରିବାରିକ ବିବାଦ ଜାରି ରହିଥିବା ବେଳେ ରଞ୍ଜିତ ବୁଧବାର ସୁଜାତାଙ୍କୁ ମାଡ ମାରିବା ସହ ପରିବାର ଲୋକ ମିଶି ତାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ତେଣୁ ନିରୁପାୟ ହୋଇ ଶେଷରେ ସୁଜାତା ଏପରି ପ୍ରତିବାଦ କରିଥିବା ଜଣାପଡିଛି।