ଭଦ୍ରକ:୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ୨ ଦିନିଆ ଗସ୍ତ । ଗସ୍ତର ଦ୍ଵିତୀୟ ତଥା ଶେଷ ଦିନରେ ୪ଟି ବ୍ଲକ ଗସ୍ତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସୋମବାର ଦିନ ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହ ଇରମ ସହିଦ ପୀଠ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ବିକାଶ ପାଇଁ ଘୋଷଣା କରିଛନ୍ତି ।
୫-ଟି ସଚିବ ପ୍ରଥମେ ଚାନ୍ଦବାଲି ବ୍ଲକ୍ ଗସ୍ତ କରି ବାଁଶଡ଼ାଠାରେ ନବନିର୍ମିତ ମନ୍ତେଇ ସେତୁ ପରିଦର୍ଶନ କରିବା ସହିତ ନିର୍ମାଣାଧୀନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିତରକନିକା ପ୍ରବେଶପଥ ଓ ନଦୀବନ୍ଧ କାର୍ଯ୍ୟ ସମୀକ୍ଷା କରିଥିଲେ। ଚାନ୍ଦବାଲିସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କରିଥିଲେ। ଚାନ୍ଦବାଲି କାଳୀ ପଡ଼ିଆରେ ପହଞ୍ଚି ସମସ୍ତ ପ୍ରକଳ୍ପ ନୂଆବର୍ଷ ପୂର୍ବରୁ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ନୂତନ ଭାବେ ଉଦ୍ଘାଟିତ ହୋଇଥିବା ମିଶନ୍ କାଫେ ପରିଦର୍ଶନ କରି ରାଜ୍ୟର ସର୍ବଶ୍ରେଷ୍ଠ ମିଶନ୍ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ ।