ଓଡିଶା

odisha

ETV Bharat / state

ଭଦ୍ରକ ଗସ୍ତରେ 5ଟି ସଚିବ, ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭଦ୍ରକ ଗସ୍ତରେ ଆସିଥିବା ବେଳେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ କଳାପତାକା ଦେଖାଇଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

By

Published : Jun 12, 2023, 12:28 PM IST

vk pandian reviews development projects in bhadrak
vk pandian reviews development projects in bhadrak

ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭଦ୍ରକ: 2 ଦିନିଆ ଜିଲ୍ଲା ଗସ୍ତରେ ଆସିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଗସ୍ତର ପ୍ରଥମ ଦିନରେ ନେହେରୁ ଷ୍ଟାଡ଼ିୟମ୍‌ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ସହ କ୍ରିକେଟ୍ ଗ୍ରାଉଣ୍ଡ ପାଇଁ ଫ୍ଲଡ଼୍ ଲାଇଟ୍ ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ । ସେପଟେ ଚରମ୍ପା ସ୍ଥିତ ଅଗ୍ରେସନ୍ ଭବନ ଅଭିମୁଖେ ଯାତ୍ରା କରିବା ସମୟରେ ଭିକେ ପାଣ୍ଡିଆନଙ୍କୁ କଳାପତାକା ଦେଖାଇଲା ଛାତ୍ର କଂଗ୍ରେସ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ନେହେରୁ ଷ୍ଟାଡ଼ିୟମରେ ପହଞ୍ଚି ଥିଲେ 5T ସଚିବ । ପ୍ରଥମ ଦିନରେ ସେ ଭଦ୍ରକ ବ୍ଲକ ଏବଂ ଭଦ୍ରକ ମ୍ୟୁନିସ୍ପାଲିଟି ଅଞ୍ଚଳର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ନେହେରୁ ଷ୍ଟାଡିୟମ୍‌ର ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯିବା ନେଇ ସମୀକ୍ଷା କରିଥିଲେ । ଷ୍ଟାଡିୟମ୍‌ର ଉନ୍ନତି କରଣ ପାଇଁ ଥିବା ପ୍ଲାନ ବିଷୟରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ବୁଝାଇଥିଲେ। ଭଲ କ୍ରିକେଟ୍ ଗ୍ରାଉଣ୍ଡ ପାଇଁ ଫ୍ଲଡ଼୍ ଲାଇଟ୍ ସୁବିଧା ପ୍ରଦାନ କରିବାକୁ ପାଣ୍ଡିଆନ ଘୋଷଣା କରିଥିଲେ । ବ୍ୟାଡ଼ମିଣ୍ଟନ, ଭଲିବଲ, ବାସ୍କେଟ୍‌ ବଲ୍‌ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ ସଚିବ ।

ଏହାପରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚରମ୍ପା ସ୍ଥିତ ଅଗ୍ରେସନ ଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସଚିବ । ଏହି ସମୟରେ ଚରମ୍ପା ଛକରେ 5T ସଚିବଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ । କଳା ପତାକା ପ୍ରଦର୍ଶନ କରିବା ପରେ ଘଟଣାସ୍ଥଳରୁ ଛୁ ମାରିଥିଲେ ଛାତ୍ର କଂଗ୍ରେସର ସଦସ୍ୟ । ଯାହାକି ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଚରମ୍ପାରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହିଳା ସଶକ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଏବଂ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ ।

ଜିଲ୍ଲା ସଦର ମହକୁମାରେ ଏକ କୋଟି ଟଙ୍କା ବ୍ୟୟରେ ଏବଂ ବ୍ଲକମାନଙ୍କରେ 50 ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ତିଆରି, ଫେଡ଼େରେସନ୍ ପାଇଁ ଗାଡ଼ି ବ୍ୟବସ୍ଥା, ସମସ୍ତଙ୍କୁ ସ୍ମାର୍ଟକାର୍ଡ଼, ବାକି ଥିବା ମାଆମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ବୀମାରେ ସାମିଲ ଆଦି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ମହିଳା ମାନଙ୍କୁ ବୁଝାଇଥିଲେ 5T ସଚିବ । ପରେ ଭଦ୍ରକ ସଦର ମହକୁମାରେ କାଳ ବୈଶାଖୀ ପ୍ରଭାବ ଯୋଗୁ କିଛି ସମୟ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରହିବା ପରେ 5T ସଚିବ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାର 68ଟି ମହାବିଦ୍ୟାଳୟରୁ ଆସିଥିବା 2000ରୁ ଊର୍ଦ୍ଧ୍ବ ପିଲା ଏଥିରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ କଲେଜ୍‌କୁ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଶୌଚାଳୟ ଆଦି ରୂପାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଘୋଷଣା କରିଥିଲେ।

ପରେ ପରେ ଗେଲପୁର ନିକଟରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ପୂର୍ଣ୍ଣ ହୋଇ ଆସୁଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ମାତୃ ଶିଶୁ ଯତ୍ନ ହସ୍ପିଟାଲରେ ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ । ପରେ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ବିଭିନ୍ନ ସଂଗଠନ ଏବଂ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପ୍ରଦାନ ଏବଂ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ସଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖରୁ ଶୁଣିବାକୁ ଅପେକ୍ଷା କରିବାକୁ କହିଥିଲେ । ଏଥିସହ ଧାମରା ବନ୍ଦର ଭଦ୍ରକ ଜିଲ୍ଲା ପାଇଁ ସବୁଠାରୁ ବଡ଼ ଅବଦାନ ବୋଲି କହିଥିଲେ ପାଣ୍ଡିଆନ ।

ଏହାପରେ ବାବା ଆଖଣ୍ଡଳମଣି ପୀଠ ପରିଦର୍ଶନ କରି ତାହାର ଉନ୍ନତିକରଣ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ଇଦ୍‌ଗାହର ଉନ୍ନତି କରଣ, କମ୍ୟୁନିଟ୍ ସେଣ୍ଟର ପ୍ରସ୍ତାବ ମଞ୍ଜୁର କରିବା ସହିତ ଅନ୍ୟାନ୍ୟ ଦାବି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବାକୁ ପ୍ରକାଶ କରିଥିଲେ। ଅନ୍ତିମରେ ପ୍ରଥମ ଦିନ ଗସ୍ତର ଶେଷ କାର୍ଯ୍ୟକ୍ରମ ମାଆ ଭଦ୍ରକାଳୀ ମନ୍ଦିରକୁ ଗସ୍ତ କରି ପୂଜା ଅର୍ଚ୍ଚନା କରିଥିଲେ ସଚିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଦ୍ବିତୀୟ ଦଫାରେ ଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯିବା ଘୋଷଣା କଲେ। ଏହି ସମୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ଭିକେ ପାଣ୍ଡିଆନ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details