ଭଦ୍ରକ:ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ତିନି ଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କ ଠାରୁ ବାଇକ, ନଗଦ ଟଙ୍କା ଓ ବିପୁଳ ପରିମାଣରେ ସୁନା, ଧାରୁଆ ମାରଣାସ୍ତ୍ର ଜବତ କରାଯାଇଛି । ଖବର ଅନୁଯାୟୀ ଭଦ୍ରକ ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇର ଶିକାର ହୋଇଥିଲେ । ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇଯାଇଥିଲେ । ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଛି । ଶୁକ୍ରବାର ଆରଡି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୁଟେରା ଦ୍ବୟ ସହ ଜଣେ ରିସିଭରକୁ ଚିହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ । ଲୁଟେରାମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ । ଏହାସହ ଲୁଟ ସୁନା ସାମଗ୍ରୀ ଗୁଡିକ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ।