ବରଗଡ:ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକରେ ଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ଛତିଶଗଡ ରାଜ୍ୟର ଗଙ୍ଗା କୁହାଯାଉଥିବା ନୃସିଂହନାଥ ଠାରେ ଘଟିଛି ଏହି ଅଘଟଣ । ଗନ୍ଧମାର୍ଦନ ପାହାଡ ତଳେ ରହିଥିବା ଭଗବାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଦର୍ଶନ ପାଇଁ ଦୂରଦୂରାନ୍ତରୁ ଲୋକେ ଆସୁଥିବା ବେଳେ ସେଠାରେ ରହିଥିବା ଝରଣାରେ ଗାଧୋଇବାର ମଜା ନେଇଥାନ୍ତି ଅନେକ ପର୍ଯ୍ୟଟକ । ତେବେ ଗତକାଲି ଦ୍ବିପହର ପ୍ରାୟ ୨ଟା ସମୟରେ ବରଗଡ଼ ନିକଟ ଚକୁଳିଫାର୍ମ ଅଞ୍ଚଳରୁ କିଛି ପର୍ଯ୍ୟଟକ ଆସିଥିଲେ । ସେମାନେ ସମସ୍ତେ ଭୀମ ଧାର ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଶ୍ରୀରାମବାସନ ସେଠି ନାମକ ଜଣେ ଯୁବକ ଭୀମଧାର ତଳେ ସ୍ନାନ କରୁଥିବା ବେଳେ ପଥର ଭିତରେ ଫସି ଯାଇଥିଲେ ।
ଏହା ଦେଖି ଘଟଣାସ୍ଥଳରେ ପରିବାର ଲୋକ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ । ଖବର ପାଇ ମନ୍ଦିର କର୍ମଚାରୀ ସ୍ବେଚ୍ଛାସେବୀମାନେ ସେଠାକୁ ଉଦ୍ଧାର କରିବା ପହଞ୍ଚିଥିଲେ । ହେଲେ ସେମାନେ ଉଦ୍ଧାର ନକରିପାରିବାରୁ ସେମାନେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଦୀର୍ଘ ପ୍ରୟାସ ପରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଯୁବକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଇକମାଲରୁ ପଦ୍ମପୁର ଉପାଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା । ପଦ୍ମପୁରରେ ଡାକ୍ତର ଶ୍ରୀରାମକୁ ମୃତ ଘୋଷଣା କରିଥିଲେ । ତେବେ ପଦ୍ମପୁର ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।