ବରଗଡ଼: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ଆସନ୍ତା 15 ଜାନୁଆରୀ 2024ରେ ଆରମ୍ଭ ହେବ ବରଗଡ଼ର 76ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଏନେଇ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲପାଳ ତଥା ଧନୁଯାତ୍ରା ମହୋତ୍ସବ ସଭାପତି ସମିତି ମନୀଷା ବାନାର୍ଜୀଙ୍କ ଅଧକ୍ଷତାରେ 2023-24ର ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଧନୁଯାତ୍ରା ମହୋତ୍ସବର ବିଭିନ୍ନ କମିଟିର 160 ଜଣ ସଦସ୍ୟଙ୍କୁ ନେଇ ବୈଠକ ହୋଇଥିବାବେଳେ ସମ୍ପାଦକ ସୁରେଶ୍ୱର ଶତପଥୀ ବିଗତ ଧନୁଯାତ୍ରାର ବିବରଣୀ ଉପସ୍ଥାପନ କରିବା ପରେ ଚଳିତ ବର୍ଷ ଯାତ୍ରାକୁ କିଭଳି ସରସ ସୁନ୍ଦର କରିବା ଯିବ ସେନେଇ ଆଲୋକନା କରାଯାଇଥିଲା ।
ଏହା ପରେ ଜାନୁଆରୀ 15, 2024ଠାରୁ 25 ଜାନୁଆରୀ 2024 ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ମହା ସମାରୋହରେ ପାଳନ କରାଯିବା ପାଇଁ ଜିଲ୍ଲାପାଳ ଘୋଷଣା କରିଥିଲେ l ଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ତାହାରି ଉପରେ ଦୃଷ୍ଟି ଦେବାକୁ ସଭାପତି ପ୍ରତ୍ୟେକ କମିଟିକୁ ଅନୁରୋଧ କରିଥିଲେ । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ଆରକ୍ଷୀ ଅଧିକ୍ଷକ ପି.ଏସ. ମୀନା, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପୌର ପରିଷଦ ଅଧ୍ୟକ୍ଷ କଳ୍ପନା ମାଝୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ତେବେ ଚଳିତ ବର୍ଷ ଧନୁଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିଭଳି ଶାନ୍ତି ଶୃଙ୍ଖଳା ସହିତ ଧନୁଯାତ୍ରା ପାଳନ କରାଯିବ ସେଥିପ୍ରତି ଗୁରୁତ୍ଵ ଦିଆଯିବା ସହିତ ବିଶେଷ କରି ଟ୍ରାଫିକ ସମସ୍ୟାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଡ୍ରୋନ ଏବଂ ବ୍ୟାପକ ସିସି ଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ବରଗଡ଼ ସହରରେ ଅସାମାଜିକ ଲୋକଙ୍କ ପ୍ରତି ନଜର ରଖାଯାଇଛିି ବୋଲି ବୋଲି ଏସ୍ପି ପ୍ରହଲ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି ।