ବରଗଡ଼:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ସୀମାରେ ପହଞ୍ଚିଲା ଡାକ୍ତରଙ୍କ ଅବହେଳା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଡାକ୍ତରଙ୍କ ଅବହେଳା କାରଣରୁ ଡାକ୍ତରଖାନାର ପାଇଖାନାରେ ଜନ୍ମ ନେଲେ ଶିଶୁକନ୍ୟା । ନବଜାତ ଶିଶୁକନ୍ୟାଟିର ମୁଣ୍ଡ ପାଇଖାନା ଭିତରକୁ ପସିଯାଇଥିବା ବେଳେ ବହୁ କଷ୍ଟରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଯାଇଥିବା ବେଳେ ଶିଶୁଟିକୁ SNCUରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା କକରାଝୁରି ଗ୍ରାମର ବିପିନ ମିର୍ଦ୍ଧା ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେତେବେଳେ ଡାକ୍ତର ନ ଥିବା ଯୋଗୁଁ କେହି ସନ୍ତୋଷିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିଲେ। ତହି ଆରଦିନ ମଧ୍ୟ କୌଣସି କେହି ରୋଗୀଙ୍କ ନିକଟକୁ ଆସିନଥିଲେ ଏବଂ ମହିଳା ଜଣକ ଶୌଚ କରିବାକୁ ମେଡିକାଲରେ ଥିବା ପାଇଖାନାକୁ ଯାଇଥିବା ସମୟରେ ନବଜାତ ଶିଶୁକନ୍ୟା ଜନ୍ମ ହୋଇ ପାଇଖାନା ପ୍ୟାନ ଭିତରକୁ ଅଧେ ଶରୀର ପଶି ଯାଇଥିଲା ଏବଂ ତାଙ୍କ ଚିତ୍କାର ଶୁଣି ଶିଶୁକନ୍ୟାକୁ ପାଖରେ ଥିବା ଲୋକେ ତଥା ସ୍ବାସ୍ଥ୍ୟକର୍ମୀମାନେ ଉଦ୍ଧାର କରିଥିଲେ |
ସୂଚନା ଥାଉ କି କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ପ୍ରବଳ ପୀଡା ହେଉଥିଲେ ମଧ୍ୟ ଶୀଘ୍ର ପ୍ରସୂତି କରାଯାଇନଥିଲା । ଯାହାଫଳରେ ନବଜାତ ଶିଶୁଟିର ଜନ୍ମ ନେବା ପରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ବିତିବାର ୧୦ ଦିନ ନ ହେଉଣୁ ପୁଣି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଡାକ୍ତରଙ୍କ ଅବହେଳାର ଆଉ ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ।